ଭୁବନେଶ୍ବର: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ସଜାଗ ହୋଇଛି ଓଡିଶାର ଅବକାରୀ ବିଭାଗ । ରାଜଧାନୀର ପ୍ରତ୍ୟେକଟି ବାର ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ଜାରି ରଖିଛି । ଏହି ପ୍ରରିପେକ୍ଷୀରେ ଶନିବାର ରାତି ଅଧରେ ରାଜଧାନୀର ବାର ଓ ରେଷ୍ଟୁରାଣ୍ଟରେ ଅବକାରୀ ବିଭାଗର ୭ ଜଣିଆ ଟିମ୍ ଚଢାଉ କରିଛି ।
ଦିନ ସମୟରେ କମିଶନରେଟ୍ ପୋଲିସ ଓ ଅଗ୍ନିଶମ ବାହିନୀର ଚଢାଉ ଚାଲିଥିବା ବେଳେ ବିଳମ୍ବିତ ରାତିରେ ଅବକାରୀ ବିଭାଗ ଚଢାଉ କରୁଛି । ଭୁବନେଶ୍ବରରେ ଥିବା ସମସ୍ତ ବାର୍ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ଦିଆ ଯାଇଥିବା ଗାଇଡ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ ତାହାର ତଦାରଖ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ । ଏଥିରେ ୨୦ ଜଣ କର୍ମଚାରୀ ଏବଂ ୫ ଜଣ ପର୍ଯ୍ୟଟକ ଥିଲେ । ଏହି ବଡ଼ ଘଟଣା ସତ୍ତ୍ୱେ, କ୍ଲବ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା କିଛି ଘଣ୍ଟା ପରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ଆଉ ପରେ ପରେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ । ପରେ ଏହି ଦୁଇ ଭାଇମାନଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇ ଭାରତକୁ ଫେରାଇ ଆଣିବା ପ୍ରକ୍ରିୟା ଚାଲିଥିବା ବେଳେ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ। ସେମାନେ କୋର୍ଟଠାରୁ ଚାରି ସପ୍ତାହର ଅଗ୍ରୀମ ଜାମିନ୍ ମାଗିଥିଲେ ଯାହା ଦ୍ୱାରା ଦିଲ୍ଲୀ ପହଞ୍ଚିବା ପରେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ନାହିଁ । ତେବେ ଅତିରିକ୍ତ ସ୍ବତନ୍ତ୍ର ବିଚାରପତି ବନ୍ଦନା ଲୁଥରା ଭାଇଙ୍କୁ ଝଟକା ଦେଇ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।