ଅଲୂର: ଚଳିତ ବିଜୟ ହଜାରେ ଟ୍ରଫିର ଶନିବାର ଖେଳାଯାଇଥିବା ଏକ ରୋମାଂଚକ ମୁକାବିଲାରେ ହରିୟାଣା ୪ ୱିକେଟରେ ବିଜୟ ହାସଲ କରିଛି । ପାର୍ଥ ଭ୍ୟାଟ୍ସ ଅଲରାଉଣ୍ଡ ପ୍ରଦର୍ଶନ କରି ଏକାକୀ ଓଡିଶା ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି ସ୍ୱସ୍ତିକ ସାମଲଙ୍କ ଶତକ ବଦଳରେ ଓଡିଶା ୯ ୱିକେଟ ବିନିମୟରେ ୩୦୫ ରନ କରିଥିଲା । ସ୍ୱସ୍ତିକ ୧୦୧, ଗୋବିନ୍ଦ ପୋଦ୍ଦାର ୭୭ ଓ ବିପ୍ଲବ ସାମନ୍ତରାୟ ୪୭ ରନର ଇନିଂସ ଖେଳିଥିଲେ । ଅନୂଜ ଠକରାଲ ଓ ପାର୍ଥ ଭ୍ୟାଟ୍ସ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
୩୦୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହରିୟାଣା ୧୩୩ ରନରେ ୬ଟି ୱିକେଟ ହରାଇ ଏକଦା ବିପଦରେ ପଡିଥିଲା । ତେବେ ହରିୟାଣାର ପାର୍ଥ ଓ ଅନୂଜ ଠାକୁର ଓଡିଶା ବୋଲରଙ୍କ ନୈରାଶ୍ୟଜନକ ବୋଲିଂ ପ୍ରଦର୍ଶନର ଭରପୂର ଫାଇଦା ଉଠାଇ ଦଳକୁ ବିଜୟୀ କରାଇଥିଲେ । ପାର୍ଥ ୧୫୭ ଓ ଅନୂଜ ୫୯ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଉଭୟ ୭ମ ୱିକେଟରେ ୧୭୬ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଓଡିଶା ପକ୍ଷରୁ ଦେବବ୍ରତ ପ୍ରଧାନ ଓ ବିପ୍ଲବ ସାମନ୍ତରାୟ ୨ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ପାର୍ଥ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପରାଜୟ ଯୋଗୁ ଓଡିଶା ଗ୍ରୁପ ଡି ପଂଏଟ ଟେବୁଲରେ ୩ୟ ସ୍ଥାନକୁ ଖସି ଆସିଛି । ଦିଲ୍ଲୀ ଓ ହରିୟାଣା ପ୍ରଥମ ଏବଂ ଦ୍ୱିତୀୟ ସ୍ଥ୍ାନରେ ରହିଛନ୍ତି ।