Latest Odisha News

BREAKING NEWS

ଆହୁରି କଠୋର ହେଲା ଓମସା; ୨ ଘଣ୍ଟା ବନ୍ଦ ରହିବ ଓପିଡି, ସେପଟେ, ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟାମନ୍ତ୍ରୀ

ଭୁବନେଶ୍ବର: ଆଜି ଠାରୁ ଦୁଇ ଘଣ୍ଟା ଓପିଡି ବନ୍ଦ ନେଇ ଡାକ୍ତର ସଂଘର ନିଷ୍ପତ୍ତି । ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ରୋଗୀ ଦେଖିବେନି ଡାକ୍ତର । ଏନେଇ ସୂଚନା ଦେଇଛନ୍ତି ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ ପ୍ରଧାନ ।

ରାଜ୍ୟ ସରକାର ଡାକ୍ତରଙ୍କ ପଦୋନ୍ନତି, ଦରମା ବୃଦ୍ଧି ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ସମେତ ଦାବି ପୂରଣ କରିବାରେ ବିଫଳ ହେବା ପରେ ଓମସା ଏହି ନିଷ୍ପତ୍ତି ନେଇଛି । ଜୁନିଅର ଡାକ୍ତର ସଂଘ ମଧ୍ୟ ଓମସାର ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଏବଂ ଦାବି ପୂରଣ ନ ହେଲେ ଆହୁରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।

ତେବେ ପୂର୍ବରୁ ଓମସା ଓପିଡି ସେବାକୁ ୧ ଘଣ୍ଟା ବନ୍ଦ ରଖିଥିବାବେଳେ, ଏବେ ୨ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଯାହା ଫଳରେ ପୂର୍ବରୁ ଚିକିତ୍ସା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ରୋଗୀମାନଙ୍କ ଅବସ୍ଥା ପୁଣି ବିଗିଡ଼ି ଯାଇଛି ।

ଅନ୍ୟପଟେ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆନ୍ଦୋଳନରତ ଡାକ୍ତରମାନଙ୍କୁ ଡ୍ୟୁଟିରେ ଯୋଗଦେବା ଏବଂ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇବା ଜାରି ରଖିବାକୁ ନିବେଦନ କରିଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଆଲୋଚନା ଦ୍ବାରା ସବୁ ସମସ୍ୟାର ସମାଧାନ ସମ୍ଭବ । କାର୍ଯ୍ୟ ବନ୍ଦ ନକରି ରୋଗୀ ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ଅପିଲ୍‌ କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Leave A Reply

Your email address will not be published.