ଭୁବନେଶ୍ବର: ରାଜଧାନୀର ମାଉସୀ ମା’ ଛକରେ ଫୁଟିଲା ବୋମା । ହାତରେ ବୋମା ଫୁଟିବାରୁ ଛିଣ୍ଡି ଗଲା ଯୁବକଙ୍କ ପାପୁଲି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷ କାରଣରୁ ଏପରି ପରିସ୍ଥିତି ଉପୁଯିଥିବା କୁହାଯାଉଛି ।
ଖବର ମୁତାବକ, ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ଦିନ ହେଲା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଦିନକୁ ଦିନ ବିବାଦ ବଢ଼ିବାରୁ ଦୁଇ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିଲେ । ବୁଧବାର ରାତିରେ କଳ୍ପନା ଛକ ନିକଟରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ବସି ଖଟି କରିଥିଲେ । ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀ ଆସି ସେଠାରେ ଆକ୍ରମଣ କରିଥିଲେ । ଜଣେ ଯୁବକ ବୋମା ମାଡ଼ କରିବାକୁ ହାତରେ ବୋମା ଧରି ଆସିଥିଲା । ଧସ୍ତାଧସ୍ତି ସମୟରେ ଯୁବକ ତଳେ ପଡ଼ିଯିବାରୁ ହାତରେ ବୋମା ଫୁଟିଯାଇଥିଲା ।
ଖବରପାଇ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣା ପରେ ଅନ୍ୟମାନେ ଦୌଡାଦୌଡି ହେଇ ପଳେଇଥିବାବେଳେ, ଜଣକୁ ଅଟକ ରଖି ଖୋଳତାଡ଼ କରୁଛି ।