ଭଦ୍ରକ: ବେଆଇନ ବାଲି ମାଫିଆଙ୍କୁ ସାବାଡ଼ କରି ସେମାନଙ୍କ ଉପରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସତେ ଯେମିତି ଫୁ କରି ଉଡେଇ ଦେଉଛନ୍ତି ବିଭାଗୀୟ ଅଧିକାରୀମାନେ । ବନ୍ୟା ପ୍ରଭାବିତ ଅଞ୍ଚଳ କୁହାଯାଉଥିବା ଭଦ୍ରକ ଜିଲ୍ଲାର ଧାମନଗରରେ ଥିବା ବୈତରଣୀ ନଦୀ ପାର୍ଶ୍ୱରେ ମାତିଛନ୍ତି ବାଲି ମାଫିଆ । ପୋଲିସ ଓ ବିଭାଗୀୟ ଅଧିକାରୀଙ୍କୁ ଖାତିର ନକରି ଦିନ ଦ୍ୱିପ୍ରହରରେ ଖୁଲମଖୁଲା ଆତଙ୍କ କରୁଛନ୍ତି ଏହି ବାଲି ମାଫିଆ ମାନେ।
ସୂଚନା ଅନୁଯାଇ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସୋହଡା ପଂଚାୟତ ସେଣ୍ଡପୁର ନିକଟ ବୈତରଣୀ ନଦୀ ଏବେ ବାଲି ମାଫିଆଙ୍କ କବଜାରେ । ବାଲି ମାଫିଆଙ୍କ ଚରା ଭୂଇଁ ପାଲଟିଛି ଏହିସବୁ ଅଞ୍ଚଳ । ସ୍ଥାନୀୟ ଅଞ୍ଚଳର କିଛି ମାଫିଆ ମାନେ ସରକାରୀ କର୍ମଚାରୀଙ୍କୁ ହାତ ମୁଠାରେ ରଖି ଏମାନେ ଦିନରାତି ବାଲି ଲୁଟ୍ କରୁଥିବା ଅଭିଯୋଗ ହୁଏ । ପ୍ରତିଦିନ ୨୦ରୁ ଉର୍ଦ୍ଧ୍ବ ଟ୍ରାକ୍ଟରରେ ବାଲି ଲୁଟ୍ କରି ବିକ୍ରି କରିଥାନ୍ତି ଏହି ମାଫିଆ ମାନେ ।
ଧାମନଗର ଅଞ୍ଚଳ ବନ୍ୟା ପ୍ରବଣ ଏରିଆ ହୋଇଥିବା ବେଳେ ମାଫିଆ ମାନେ ପ୍ରତିଦିନ ଟ୍ରାକ୍ଟରରେ ବାଲି ନେଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ପାଇଁ ଯିବା ଆସିବା କରିବା ପାଇଁ ଏକମାତ୍ର ବନ୍ଧ ଏବେ ଦୁର୍ବଳ ହେଇ ପଡିଛି । ଏହି ବୈତରଣୀ ନଦୀ ପଠାରେ ପର୍ଯ୍ୟାପ୍ତ ବାଲି ନଥିବା ଦର୍ଶାଇ ପ୍ରଶାସନ ନିଲାମ ଦେଇ ନଥିବାର ସୁଯୋଗ ନେଇ ଏହି ବାଲି ମାଫିଆ ମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ଏ଼ହି ମାଫିଆ ମାନେ ଅଧିକାଂଶ ସ୍ଥାନରେ ଟ୍ରାକ୍ଟର ନେବା ଆଣିବା ପାଇଁ ବନ୍ଦକୁ କାଟି ରାସ୍ତା ନିର୍ମାଣ କରିବା ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।
ମାଫିଆ ମାନେ ସରକାରୀ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ନଦୀ ପଠାରେ ଥିବା ଜଙ୍ଗଲ ଭିତରେ ଟ୍ରିପ ଟ୍ରିପ ବାଲି ଲୁଚାଇ ରଖି ଥିବାର ଦେଖିବାକୁ ମିଳିଛି । ମାଫିଆଙ୍କ ଏଭଳି କାର୍ଯ୍ୟ ପାଇଁ ପ୍ରତିଦିନ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ହେଉଥିବା ବେଳେ କାହିଁକି ଏହି ବାଲି ମାଫିଆଙ୍କ ଉପରେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧାମନଗର ବ୍ଲକର ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ନାୟକ ।
ସେହିପରି ଏଭଳି ଖବର ଆମ ନିକଟରେ ପହଂଚି ନଥିବା ବେଳେ ଆଗାମୀ ଦିନରେ ଏହାର ବିଭାଗୀୟ ତଦନ୍ତ କରାଯାଇ ବାଲି ମାଫିଆଙ୍କ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲିପ ରାଉତରାୟ ।