ନୂଆଦିଲ୍ଲୀ: ଭାରତ ବୁଧବାର ଦିନ ଏକ ଆଡଭାଇଜରୀ ଜାରି କରି ଇରାନରେ ଥିବା ନିଜର ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ଅନୁରୋଧ କରିଛି। ବଢୁଥିବା କ୍ଷେତ୍ରୀୟ ଉତ୍ତେଜନା ଏବଂ ବିରୋଧ ପ୍ରଦର୍ଶନ ମଧ୍ୟରେ ସୁରକ୍ଷା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହି ଆଡଭାଇଜରୀରେ ଜାରି କରାଯାଇଛି। ଭାରତୀୟ ବିଦେଶ ମନ୍ତ୍ରାଳୟ (ଏମଇଏ) ଗତ ୧୦ ଦିନରେ ଦ୍ୱିତୀୟ ଆଡଭାଇଜରୀ ଜାରି କରିଛନ୍ତି ।
ଏହି ଆଡଭାଇଜରୀ ତେହେରାନର ଭାରତୀୟ ଦୂତାବାସ ଦ୍ୱାରା ଜାରି କରାଯାଇଛି। ଦୂତାବାସ ଇରାନରେ ଥିବା ଭାରତୀୟ ନାଗରିକମାନଙ୍କୁ (ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ସମେତ) ବାଣିଜ୍ୟିକ ବିମାନ ଅବା ଉପଲବ୍ଧ ପରିବହନ ମାଧ୍ୟମ ବ୍ୟବହାର କରି ଦେଶ ଛାଡିବାକୁ ଅନୁରୋଧ କରିଛି ।ଦେଶର ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା କରାଯାଉଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଥିଲା।
ଆଡଭାଇଜରୀରେ ଭାରତ କହିଛି:-
-ଦୂତାବାସ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକ ଏବଂ ପରିଚୟପତ୍ର ଧାରକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ପ୍ରତିବାଦ କିମ୍ବା ପ୍ରଦର୍ଶନ ହେଉଥିବା ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି। ନାଗରିକମାନଙ୍କୁ ଇରାନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ଏବଂ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି।
-ବର୍ତ୍ତମାନ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ଯାତ୍ରା ଏବଂ ପ୍ରବାସନ ଡକ୍ୟୁମେଣ୍ଟ, ପାସପୋର୍ଟ ଏବଂ ପରିଚୟପତ୍ର ଉପଲବ୍ଧ ରଖନ୍ତୁ। ଏହି ସମ୍ପର୍କରେ ଯେକୌଣସି ସହାୟତା ପାଇଁ, ସେମାନେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିପାରିବେ।
-ଭାରତୀୟ ଦୂତାବାସର ଜରୁରୀକାଳୀନ ଯୋଗାଯୋଗ ହେଲ୍ପଲାଇନ୍ ନିମ୍ନରେ ଦିଆଯାଇଛି:
ମୋବାଇଲ୍ ନମ୍ବର: +୯୮୯୧୨୮୧୦୯୧୧୫; +୯୮୯୧୨୮୧୦୯୧୦୯; +୯୮୯୧୨୮୧୦୯୧୦୨; +୯୮୯୯୩୨୧୭୯୩୫୯ ଇମେଲ୍: cons.tehran@mea.gov.in
-ବର୍ତ୍ତମାନ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକ ଯେଉଁମାନେ ଏପର୍ଯ୍ୟନ୍ତ ଭାରତୀୟ ଦୂତାବାସରେ ପଞ୍ଜିକୃତ ହୋଇନାହାଁନ୍ତି, ସେମାନଙ୍କୁ ଏହି ଲିଙ୍କ୍ ବ୍ୟବହାର କରି ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି: (https://www.meaers.com/request/home)। ଏହି ଲିଙ୍କ୍ ଦୂତାବାସର ୱେବସାଇଟରେ ମଧ୍ୟ ଉପଲବ୍ଧ।
-ଯଦି କୌଣସି ଭାରତୀୟ ନାଗରିକ ଇରାନରେ ଇଣ୍ଟରନେଟ୍ ବାଧାପ୍ରାପ୍ତ ହେବା ଯୋଗୁଁ ପଞ୍ଜିକରଣ କରିପାରିବେ ନାହିଁ, ତେବେ ଭାରତରେ ଥିବା ତାଙ୍କ ପରିବାରକୁ ତାଙ୍କ ପକ୍ଷରୁ ପଞ୍ଜିକରଣ ସମାପ୍ତ କରିବାକୁ ଅନୁରୋଧ କରାଯାଇଛି।
ସୂଚନାଥାଉକି, ଏକ ସମ୍ବାଦ ସଂସ୍ଥା ରିପୋର୍ଟ ଅନୁଯାୟୀ, ଇରାନରେ ହୋଇଥିବା ବିରୋଧ ପ୍ରଦର୍ଶନରେ ମୃତ୍ୟୁ ସଂଖ୍ୟା ଅତି କମରେ ୨,୫୭୧ରେ ପହଞ୍ଚିଛି।