ଗୌହାଟୀ: ସ୍ଥାନୀୟ ସିଲାପଥର ଷ୍ଟାଡିୟମରେ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ରାଉଣ୍ଡ ମୁକାବିଲା ଆୟୋଜିତ ହେଉଛି । ଓଡିଶା ତାର ପ୍ରଥମ ମ୍ୟାଚରେ ମେଘାଳୟ ନିକଟରୁ ୦-୧ ଗୋଲରେ ପରାସ୍ତ ହୋଇଛି । ଗ୍ରୁପ ବିର ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟ ପକ୍ଷରୁ ଏକମାତ୍ର ଗୋଲଟି ବେବୀ ସଣ୍ଡେ ମାର୍ନଗର ୨୩ତମ ମିନିଟରେ ସ୍କୋର କରିଥିଲେ । ଶେଷ ପର୍ଯ୍ୟନ୍ତ ଓଡିଶା ଗୋଲ ଶୁଝାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ମେଘାଳୟ ଗତ ସଂସ୍କରଣରେ ରନର୍ସଅପ ହୋଇଥିଲା ।
ଓଡିଶା ଦ୍ୱିତୀୟାର୍ଦ୍ଧରେ ମେଘାଳୟର ଘନ ଘନ ଆକ୍ରମଣକୁ ରୋକିବାରେ ସଫଳ ହୋଇଥିଲା । ଅନ୍ୟ ଏକ ମୁକାବିଲାରେ କେରଳ ୩-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି । ସେହିପରି ସର୍ଭିସେସ ଓ ରେଲୱେ ମ୍ୟାଚ ୧-୧ ଡ୍ରରେ ସମାପ୍ତ ହୋଇଛି । ଓଡିଶା ଜାନୁୟାରୀ ୨୪ରେ ତାର ପରବର୍ତୀ ମୁକାବିଲାରେ ସର୍ଭିସେସକୁ ଭେଟିବ । ସେହିପରି ୨୬ରେ କେରଳକୁ, ୨୯ରେ ରେଲୱେକୁ ଏବଂ ୩୧ରେ ପଞ୍ଜାବକୁ ଭେଟିବ ।