ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଆଜି ଥିଲା ୧୩୦ତମ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଶୁଣିବା ସହିତ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ । ଏଥି ସହିତ ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ବର୍ଷର ସଫଳତା ବିଷୟରେ ଆଲୋକପାତ କରି ପିଲା ମାନଙ୍କୁ ସବୁବେଳେ ନବସୃଜନ ଉପରେ ଗୁରୁତ୍ୱ ଦେବା ପାଇଁ ଉପଦେଶ ଦେଇଥିଲେ । ଆଜିର ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ରଖିଥିବା ତାଙ୍କର ପ୍ରତ୍ୟେକ ପ୍ରେରଣାଦାୟୀ ବିଚାର ସମ୍ପର୍କରେ ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲେ |
ସୂଚନାଯୋଗ୍ୟ ଯେ, ଆଜି ଥିଲା ଜାତୀୟ ମତଦାତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ଭୋଟର ମାନଙ୍କୁ ଭୋଟର ଲିଷ୍ଟରେ ନାମ ପଞ୍ଜୀକୃତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିଲେ। ଏଥି ସହିତ ଇଣ୍ଡଷ୍ଟ୍ରି ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ କ୍ବାଲିଟିକୁ ସର୍ବାଗ୍ରେ ରଖିବା, ସ୍ବଚ୍ଛତା ଓ ପରିବେଶ ପ୍ରଦୂଷଣ ପ୍ରତି ସଚେତନତା ବୃଦ୍ଧି ଭଳି ଅନେକ ପ୍ରେରଣାଦାୟୀ ବାର୍ତ୍ତା ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କର ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଫଳତା ଓ ନବସୃଜନ ଉପରେ ଗୁରୁତ୍ବ ଦେଇ ଦେଶବାସୀଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି।
ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ବର ବିଧାୟକ ବାବୁ ସିଂ, ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ସମାଜସେବୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତୃବୃନ୍ଦ ଓ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।