ଓ୍ବାଶିଂଟନ୍: ବରଫ ଝଡ଼ ଯୋଗୁ ଆମେରିକାର ଘରୋଇ ବିମାନ ଦୁର୍ଘଟଣା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ମାଇନ ବାଙ୍ଗର୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଗତକାଲି ରାତିରେ ଉଡାଣ ଭରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବିମାନରେ ମୋଟ ୮ ଜଣ ଥିବାବେଳେ, ସେଥିମଧ୍ୟରୁ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଜଣେ କ୍ରୁ ସଦସ୍ୟ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ।
ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ସୂଚନା ଅନୁସାରେ, ବମ୍ବାର୍ଡିୟର୍ ଚ୍ୟାଲେଞ୍ଜର ୬୦୦ ବିମାନରେ ୮ ଜଣ ଯାତ୍ରୀ ଥିଲେ । ନ୍ୟୁ ଇଂଲଣ୍ଡ ଏବଂ ଦେଶର ଅନେକ ଅଞ୍ଚଳରେ ଏକ ବିଶାଳ ଶୀତ ଝଡ଼ ହେବା ବେଳେ ବୋଷ୍ଟନ୍ଠାରୁ ପ୍ରାୟ ୨୦୦ ମାଇଲ୍ ଉତ୍ତରରେ ଥିବା ଏହି ବିମାନବନ୍ଦରରେ ଦୁର୍ଘଟଣା ହୋଇଥିଲା ।
ଟେକ୍ଅଫ୍ ପାଇଁ ଚେଷ୍ଟା କରିବା ସମୟରେ ଜେଟ୍ଟି ଓଲଟି ପଡ଼ି ଜଳି ଯାଇଥିଲା । ବିମାନଟି ରାତି ପ୍ରାୟ ୭ ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଏବଂ ନ୍ୟାଶନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ଏହି ବିମାନ ଦୁର୍ଘଟଣାକୁ ତଦନ୍ତ କରୁଛନ୍ତି ।