ନୂଆଦିଲ୍ଲୀ: ଆମେରିକାର କୁଖ୍ୟାତ ଯୌନ ଅପରାଧୀ, ଜେଫ୍ରି ଏପଷ୍ଟିନ୍ ମୃତ୍ୟୁ ପରେ ବି ଦୁନିଆର ବହୁ ହାଇପ୍ରୋଫାଇଲ ଲୋକଙ୍କ ନିଦ ହଜାଇଦେଇଛି । ନିକଟରେ ଆମେରିକାର ନ୍ୟାୟ ବିଭାଗ ‘ଏପଷ୍ଟିନ୍ ଫାଇଲ୍ସ’ର ଏକ ନୂଆ ସେଟ୍ ପ୍ରକାଶ କରିଛି। ୩୦ ଲକ୍ଷରୁ ଅଧିକ ପୃଷ୍ଠା, ହଜାର ହଜାର ଭିଡିଓ ଏବଂ ଲକ୍ଷ ଲକ୍ଷ ଫଟୋ । ଏହି ଡକ୍ୟୁମେଣ୍ଟ୍ ଏବେ ବିଶ୍ୱ ରାଜନୀତିରେ ସୃଷ୍ଟି କରିଛି ହଇଚଇ । କିଏ ଏହି ଏପଷ୍ଟିନ୍ ଏବଂ କାହିଁକି ଏହି ଫାଇଲ୍ସକୁ ନେଇ ଏତେ ଭୟ, ଆସନ୍ତୁ ଜାଣିବା ?
ଜେଫ୍ରି ଏପଷ୍ଟିନ୍, ଜଣେ ଏମିତି ଆମେରିକୀୟ ଫାଇନାନ୍ସର, ଯିଏ ନିଜ ପଇସା ଏବଂ ପ୍ରତିପତ୍ତି ବଳରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲା । ଅନେକ ନାବାଳିକା ଝିଅଙ୍କୁ ପାଠପଢ଼ା ଏବଂ ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କୁ ଯୌନ ଶୋଷଣ କରିବା ଥିଲା ଏପଷ୍ଟିନ୍ର ଅସଲ କାମ। ଏବେ ସର୍ବସାଧାରଣ ହୋଇଥିବା ୩୦ ଲକ୍ଷ ପୃଷ୍ଠାର ଫାଇଲ୍ରେ ଏହି କଳାକାରନାମାର ସବୁ ଗୁମର ଖୋଲିଛି।
ଏହି ଘଟଣାର ସବୁଠାରୁ ଚର୍ଚ୍ଚିତ ସ୍ଥାନ ହେଉଛି ‘ଏପଷ୍ଟିନ୍ ଆଇଲ୍ୟାଣ୍ଡ’। ୟୁଏସ୍ ଭର୍ଜିନ୍ ଆଇଲ୍ୟାଣ୍ଡରେ ଥିବା ‘ଲିଟିଲ୍ ସେଣ୍ଟ ଜେମ୍ସ’ ନାମକ ଏହି ବେସରକାରୀ ଦ୍ୱୀପରେ ଏପଷ୍ଟିନ୍ ନିଜର ସାମ୍ରାଜ୍ୟ ଚଳାଉଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଏହି ଦ୍ୱୀପରେ ହିଁ ଅନେକ ବଡ଼ ବଡ଼ ଲୋକଙ୍କ ପାଇଁ ଯୌନ ଆସର ଜମୁଥିଲା। ଏପଷ୍ଟିନ୍ ଏହି ଶକ୍ତିଶାଳୀ ଲୋକଙ୍କର ଆପତ୍ତିଜନକ ଭିଡିଓ ଏବଂ ଫଟୋ ସୁଟ୍ କରି ସେମାନଙ୍କୁ ବ୍ଲାକମେଲ୍ କରୁଥିବାର ମଧ୍ୟ ଅଭିଯୋଗ ରହିଛି।
ଏହି ଫାଇଲ୍ସରେ କାହାରି ଉପରେ ଆନୁଷ୍ଠାନିକ ଭାବେ ଦୋଷାରୋପ କରାଯାଇ ନାହିଁ, କିନ୍ତୁ ଯେଉଁମାନଙ୍କ ସହ ଏପଷ୍ଟିନର ସମ୍ପର୍କ ଥିଲା ସେମାନଙ୍କ ମଧ୍ୟରେ ଅଛନ୍ତି- ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ବର୍ତ୍ତମାନର ଆମେରିକା ରାଷ୍ଟ୍ରପରତି ଡୋନାଲ୍ଡ ଟ୍ରମ୍ପ, ବ୍ରିଟିଶ୍ ରାଜପରିବାର ସଦସ୍ୟ ପ୍ରିନ୍ସ ଆଣ୍ଡ୍ର୍ୟୁ, ବିଶିଷ୍ଟ ଶିଳ୍ପପତି ଏଲନ୍ ମସ୍କ ଏବଂ ବିଲ୍ ଗେଟ୍ସ ପ୍ରମୁଖ ।
୨୦୦୮ରେ ପ୍ରଥମ କରି ଏପଷ୍ଟିନ୍ ଦୋଷୀ ସାବ୍ୟସ୍ତ ହୋଇଥିଲା, କିନ୍ତୁ ନିଜର ଉଚ୍ଚ ସମ୍ପର୍କ ଯୋଗୁଁ ସେ ମୁକୁଳି ଯାଇଥିଲା। ୨୦୧୯ରେ ପୁଣି ଥରେ ଗିରଫ ହେବା ପରେ ନ୍ୟୁୟର୍କ ଜେଲରେ ତା’ର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ସେ ଆତ୍ମହତ୍ୟା କରିଥିଲେ କି ଏହା ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଥିଲା ସେନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏବେ ଜାରି ହୋଇଥିବା ୨୦୦୦ରୁ ଅଧିକ ଭିଡିଓ ଏବଂ ୧ ଲକ୍ଷ ୮୦ ହଜାର ଫଟୋ କାହାର ମୁଖା ଖୋଲିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏପଷ୍ଟିନ୍ ଫାଇଲ୍ସ ଏବେ କେବଳ ଏକ ରିପୋର୍ଟ ନୁହେଁ, ବରଂ ଶକ୍ତିଶାଳୀ ଲୋକଙ୍କ ପାଇଁ ପରମାଣୁ ବୋମା ସଦୃଶ ହୋଇଛି । ଯଦିଓ ଏହି ଫାଇଲ୍ସରେ ନାଁ ଥିବା ସମସ୍ତ ବ୍ୟକ୍ତି ଅପରାଧୀ ନୁହନ୍ତି, କିନ୍ତୁ ନୈତିକତା ଦୃଷ୍ଟିରୁ ଏହା ସେମାନଙ୍କ ପାଇଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ।