Matriculation Examination: ଆସନ୍ତା ୧୯ରୁ ମାଟ୍ରିକ୍ ପରୀକ୍ଷା: ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ନିଆଗଲା ଏହି ପଦକ୍ଷେପ..
ଭୁବନେଶ୍ବର: ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀ ପରୀକ୍ଷା । ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ୍ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଓପନ ସ୍କୁଲ) ମଧ୍ୟ ସମାନ ଦିନରେ ହେବ । ରାଜ୍ୟର ୩୦୮୨ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ ।
ଏଥିପାଇଁ ୩୨୨ ଟି ନୋଡାଲ ସେଣ୍ଟର ପ୍ରସ୍ତୁତ କରିଛି ବୋର୍ଡ । ଓଏମଆର ସିଟ ଓ ପ୍ରଶ୍ନପତ୍ର କଡା ସୁରକ୍ଷା ବଳୟରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଛି । ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷା ବଳୟରେ ରଖାଯିବ । ପ୍ରଶ୍ନପତ୍ରକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସଶସ୍ତ୍ର ପୁଲିସ ୨୪ଘଣ୍ଟିଆ ସୁରକ୍ଷା ବଳରେ ଜଗି ରହିଛନ୍ତି ।
ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍ ସେଣ୍ଟରରେ ଲାଇଭ୍ ଷ୍ଟ୍ରିମଙ୍ଗ ବ୍ୟବସ୍ଥା ହୋଇଛି । ଗତବର୍ଷ ଭଳି ପ୍ରଶ୍ନପତ୍ରରେ କ୍ୟୁ ଆର କୋଡ଼ ଓ ୱାଟର ମାର୍କ ରଖିଛି ବୋର୍ଡ । କୌଣସି ବିଶୃଙ୍ଖଳା ହେଲେ, ଏହି ବ୍ୟବସ୍ଥାରେ ବୋର୍ଡ ମୁଖ୍ୟାଳୟ ଜାଣିପାରିବ । ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ହେବ । ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଏହିଠାରୁ କଣ୍ଟ୍ରୋଲ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।