ଭୁବନେଶ୍ୱର: ଆସନ୍ତା ସୋମବାର ଅର୍ଥାତ୍ ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଭୁବନେଶ୍ୱର ସ୍ଥିତ ଅଶୋକ ନଗର ୟୁନିଟ-୨ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଦିନ ୧୧ ଟାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ।
ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଫେବୃଆରୀ ୬ ଅର୍ଥାତ୍ ଆଜି ଦିନ ୧୧ଟାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ । ଏଥି ନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।
ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତ ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।