ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଗୁରୁବାର ଇଟାଲୀ ଓ ଶ୍ରୀଲଙ୍କା ସହଜ ବିଜୟ ହାସଲ କରିଛନ୍ତି । ଇଟାଲୀ ୧୦ ୱିକେଟରେ ନେପାଳକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଟି୨୦ ବିଶ୍ୱକପରେ ଇଟାଲୀର ଏହା ପ୍ରଥମ ବିଜୟ । ଗ୍ରୁପ ସିର ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ୧୯.୩ ଓଭରରେ ୧୨୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଆରୀଫ ଶେଖ ସର୍ବାଧିକ ୨୭ ରନ କରିଥିଲେ । ଦୀପେନ୍ଦ୍ର ସିଂ ଏରୀ ୧୭, ରୋହିତ ପୌଡେଲ ୨୩ ଓ ଆସିଫ ଶେଖ ୨୦ ରନ ସଂଗ୍ରହ କରିଥିଲେ । ଇଟାଲୀ ପକ୍ଷରୁ କ୍ରିଶନ କାଳୁଗାମାଗେ ୩ଟି ଏବଂ ବେନ ମେନେଂଟି ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୨୪ ରନର ବିଜୟ ଲକ୍ଷ୍ୟକୁ ଇଟାଲୀ କୌଣସି ୱିକେଟ ନ ହରାଇ ହାସଲ କରି ନେଇଥିଲା । ୧୨.୪ ଓଭରରେ ସେମାନେ ସହଜରେ ଏହି ମ୍ୟାଚକୁ ଜିତି ନେଇଥିଲେ । ଜଷ୍ଟିନ ମସ୍କୋ ୬୦ ଓ ଆନ୍ଥୋନୀ ମସ୍କୋ ୬୨ ରନ କରି ଅପରାଜିତ ରହିଥିଲେ ।
ଅନ୍ୟ ଏକ ମ୍ୟାଚରେ ଓମାନକୁ ଶ୍ରୀଲଙ୍କା ୧୦୫ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୨୨୫ ରନ କରିଥିଲା । କୁଶଳ ମେଣ୍ଡିସ ୬୧, ପବନ ରତ୍ନନାୟକେ ୬୦ ଓ ଦାଶୁନ ସାନକା ୫୦ ରନ କରିଥିଲେ । ଜବାବରେ ଓମାନ ୨୨୬ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ବିନିମୟରେ ୧୨୦ ରନ କରିବାକୁ ସକ୍ଷମ ହୋଇଥିଲା । ମହମ୍ମଦ ନଦୀମ ୫୩ ଓ ୱାସିମ ଅଲୀ ୨୭ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚୀମାରା ଓ ମହେଶ ତୀକ୍ଷନା ୨ଟି ଲେଖାଏଁ ୱିକେଟ ନେଇଥିଲେ ।