ନୂଆଦିଲ୍ଲୀ: ୩୭ ବର୍ଷ ପରେ ବାଂଲାଦେଶକୁ ମିଳିବ ପୁରୁଷ ପ୍ରଧାନମନ୍ତ୍ରୀ
ତାରିକ ରହମାନଙ୍କ ଦମଦାର ଏଣ୍ଟ୍ରି
୧୭ ବର୍ଷ ପରେ ଆସିଲେ, ସିଧା ସରକାର ଚଳାଇବେ
ବିଏନପି ବିଜୟରେ ଭାରତ ଖୁସି
ପଡ଼ୋଶୀ ବାଂଲାଦେଶରେ ଅନୁଷ୍ଠିତ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଏବେ ଭାରତ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି। ଜମାତ-ଏ-ଇସଲାମି ମାଟି କାମୁଡି ପଡ଼ିଥିବା ବେଳେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି) ଏକ ବଡ଼ ବିଜୟ ହାସଲ କରିଛି। ବିଏନପିର ତାରିକ ରହମାନ ଏବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ବିଏନପିର ଏକ ବଡ଼ ବିଜୟ ପରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ବିଜୟ ପାଇଁ ତାରିକ ରହମାନଙ୍କୁ ଶ୍ରେୟ ଦେଇ ଭାରତ ସର୍ବଦା ବାଂଲାଦେଶର ସପକ୍ଷରେ ଛିଡ଼ା ହେବ ବୋଲି କହିଛନ୍ତି ମୋଦୀ।
କାହିଁକି ଭାରତ ପାଇଁ ଗୁରୁତ୍ଵ ରଖେ ବିଏନପି ବିଜୟ?
ହସିନା ସରକାରଙ୍କ ପତନ ପରେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରରେ ଭାରତ ସହିତ ବାଂଲାଦେଶର ସଂପର୍କ ଖରାପ ହୋଇଛି। ପୂର୍ବରୁ ଖାଲିଦା ଜିଆଙ୍କ କାର୍ଯ୍ୟକାଳ ସମୟରେ ଭାରତ ସହ ଭଲ ସଂପର୍କ ରହିଥିଲା। ଭାରତ ବି ଖାଲିଦା ଜିଆଙ୍କ ଅସୁସ୍ଥତା ସମୟରେ ଚିନ୍ତା ପ୍ରକାଶ କରିଛି। ତାଙ୍କ ସହ ଏକ ସୁସମ୍ପର୍କ ବଜାୟ ରଖିବା ପାଇଁ ଚେଷ୍ଟା ଜାରି ରଖିଛି। ଆଉ ଏବେ ଭାରତ ତାରିକ ରହମାନଙ୍କ ବିଜୟ ଉପରେ ନଜର ରଖିଛି। ପୂର୍ବ ଶେଖ୍ ହାସିନ ସରକାରଙ୍କ ଚିରପ୍ରତିଦ୍ୱନ୍ଦି ଖାଲିଦା ଜିଆଙ୍କ ମୃତ୍ୟୁ ପରେ ନିର୍ବାସନରୁ ଫେରିଥିବା ତାଙ୍କ ପୁଅ, ତାରିକ ରହମାନ, ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ସେ ସରକାର ଗଢିବେ ବୋଲି ମଧ୍ୟ ଦାବି କରିଛନ୍ତି। ଆଉ ତାରିକ ରହମାନ ଏବେ ପ୍ରଧାନମନ୍ତ୍ରୀ ହେବା ପରେ, ଭାରତ BNP ର କାର୍ଯ୍ୟକଳାପ ଏବଂ ନୀତି ଉପରେ କଡ଼ା ନଜର ରଖିବ, କାରଣ ଏହି ବିଜୟ କେବଳ ବାଂଲାଦେଶର ରାଜନୈତିକ ଦୃଶ୍ୟପଟ ପାଇଁ ନୁହେଁ ବରଂ ଭାରତ ସହିତ ଏହାର ତିକ୍ତ ସମ୍ପର୍କକୁ ଉନ୍ନତ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ, ବହିଷ୍କୃତ ଆୱାମୀ ଲିଗର ଶେଖ ହସିନା ଭାରତରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି, ଏବଂ ବାଂଲାଦେଶରେ ଭାରତ ବିରୋଧୀ କାହାଣୀକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରାଯାଇଛି, ଯେଉଁଥିରେ ଅନେକ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଯାହା ତାରିକ୍ ରହମାନଙ୍କ ସମୟରେ ସୁଧୁରିବ ବୋଲି ଆଶା ରଖିଛି ଭାରତ।
ଅପରପକ୍ଷେ ଭାରତ ଜମାତ-ଏ-ଇସଲାମି ବିଷୟରେ ଚିନ୍ତିତ ଥିଲା, ଯାହାକୁ ଭାରତରେ ପ୍ରାୟତଃ ପାକିସ୍ତାନର ଗୁପ୍ତଚର ସଂସ୍ଥା, ISI ର ପ୍ରଭାବରେ ବୋଲି ବିବେଚନା କରାଯାଏ। ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ଆଶ୍ୱସ୍ତି ହେଉଛି ଯେ ଜମାତ-ଏ-ଇସଲାମି ଏହି ନିର୍ବାଚନରେ ଏକ ଲଜ୍ଜିତ ପରାଜୟ ପାଇଛି। ଯଦିଓ BNP ସହିତ ଭାରତର ସମ୍ପର୍କ ଐତିହାସିକ ଭାବରେ ଅସହଜ ରହିଛି, ବର୍ତ୍ତମାନର ପରିସ୍ଥିତିରେ, ଭାରତ ଏହାକୁ ଏକ ଗଣତାନ୍ତ୍ରିକ ବିକଳ୍ପ ଭାବରେ ଦେଖୁଛି। ଭାରତ ଏବେ ଆଶାବାଦୀ ଯେ BNP ତାରିକ ରହମାନଙ୍କ ନେତୃତ୍ୱରେ ସରକାର ଗଠନ କରିବ, ଯାହା ଦୁଇ ଦେଶର ସମ୍ପର୍କରେ ଏକ ନୂତନ ଦିଗ ଦେବ। ତଥାପି ଭାରତ ଏହି ବିଜୟକୁ ଏକ ସଙ୍କଟ କିମ୍ବା ଉତ୍ସବର କାରଣ ବୋଲି ବିବେଚନା କରିବ ନାହିଁ। BNPର ବିଜୟ ଭାରତ ପାଇଁ ଏକ ଅଗ୍ନିପରୀକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିବ, କାରଣ ସୁରକ୍ଷା ସହଯୋଗ, ବୈଦେଶିକ ନୀତି ସନ୍ତୁଳନ ଏବଂ ଆର୍ଥିକ ସହଭାଗୀତା ଉଭୟ ଦେଶ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ। ତେବେ ବାଂଲାଦେଶର ନୂତନ ସରକାରଙ୍କ ସହିତ ଭାରତର ସମ୍ପର୍କ କେଉଁ ଦିଗରେ ନିଆଯିବ ତାହା ଦେଖିବା ବାକି ଅଛି। ଯଦି ରହମାନଙ୍କ BNP ବନ୍ଧୁତା ଏବଂ ଆଶ୍ୱାସନାର ହାତ ବଢ଼ାଏ, ତେବେ ଭାରତ ସହଯୋଗ ବୃଦ୍ଧି କରିବ ଏବଂ ବ୍ୟବହାରିକ ଉପାୟରେ ନୂତନ ବିକଳ୍ପ ସହିତ ଆଗକୁ ବଢ଼ିବ।