ଭୁବନେଶ୍ବର: ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବୈଦଶିକ ମନ୍ତ୍ରାଳୟକୁ ଚିଠି ଲେଖି ଅବଗତ କରାଯାଇଛି । ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର ଓ ଲେବର କମିଶନରଙ୍କ ପକ୍ଷରୁ ଚିଠି ଲେଖାଯାଇଛି । ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଫେରାଇ ଆଣିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ, ରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଏବଂ ଭଦ୍ରକ ଜିଲ୍ଲାର ଚାନ୍ଦବାଲିର ଛଅ ଜଣ ଶ୍ରମିକ ଫସି ରହିଛନ୍ତି । ଏକ ପ୍ଲାଏଉଡ୍ କାରଖାନାରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଦରମା, ମାଗଣା ରହିବା ଏବଂ ଖାଇବା ସୁବିଧା ସହିତ ଚାକିରି ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ଗତବର୍ଷ ଅଗଷ୍ଟରେ ସେମାନଙ୍କୁ କାମ ପାଇଁ ସେଠାକୁ ନିଆଯାଇଥିଲା । ତେବେ ସେମାନଙ୍କୁ ଗତ ଚାରି ମାସ ଧରି କୌଣସି ମଜୁରୀ ମିଳିନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ନିଯୁକ୍ତିଦାତା ସେମାନଙ୍କ ପାସପୋର୍ଟକୁ ରଖିଦେବା ସହ ବକେୟା ଦରମା ଦାବି କଲେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବାର ଧମକ ଦେଉଥିବା ଖବର ମିଳିଛି ।
ଏଥିସହିତ ଗତ ଚାରି ଦିନ ଧରି ମେସରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇ ନାହିଁ ଓ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ମଧ୍ୟ ଦିଆଯାଇନଥିବା କୁହାଯାଇଛି । ସେମାନଙ୍କ ବାସସ୍ଥାନରେ ୱାଇଫାଇ ମଧ୍ୟ ବନ୍ଦ କରିଦେଇଥିବା ସୂଚନା ମିଳିଛି । ତେବେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସେଥିପାଇଁ ସେମାନେ ଅନ୍ୟମାନଙ୍କଠାରୁ ଇଣ୍ଟରନେଟ୍ ମାଗିକି ରେକର୍ଡ କରିଥିବା କହିଛନ୍ତି ।