ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବାଲେଶ୍ୱର ଜିଲ୍ଲାର ସୋରୋ ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ଗୁରୁବାର ଦିନ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ତାଙ୍କ ସହଯୋଗୀ ଦୟାନିଧି ଜେନାଙ୍କ ସହ ଜଣେ ଟ୍ରକ ମାଲିକଙ୍କଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି।
ଭିଜିଲାନ୍ସର ଏକ ବିଜ୍ଞପ୍ତି ଅନୁଯାୟୀ, ତହସିଲଦାର ଫେବୃଆରୀ ୧୧ ତାରିଖରେ ୫ଟି ଲଘୁ ଖଣିଜ ପଦାର୍ଥ ବୋଝେଇ ଟ୍ରକକୁ ଜବତ କରିଥିଲେ। ଖଣି ବିଭାଗକୁ ସେହି ଗାଡ଼ିଗୁଡ଼ିକୁ ହସ୍ତାନ୍ତର କରିବା ପରିବର୍ତ୍ତେ ଗାଡ଼ିଗୁଡ଼ିକୁ ଛାଡ଼ିବା ପାଇଁ ମାଲିକଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।
ଯେତେବେଳେ ଟ୍ରକ ମାଲିକ ଏତେ ବଡ଼ ପରିମାଣର ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କଲେ ସେତେବେଳେ ସେ ଏହି ପରିମାଣକୁ ୪୦,୦୦୦ ଟଙ୍କା କରି ଦେଇଥିଲେ।
କିନ୍ତୁ ପରେ ଟ୍ରକ ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଯାହା ପରେ ପୂର୍ବ ଯୋଜନା ମୁତାବକ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ତହସିଲଦାରଙ୍କୁ ଧରିଥିଲା। ତାଙ୍କଠାରୁ ସମ୍ପୂର୍ଣ୍ଣ ୪୦,୦୦୦ ଟଙ୍କା ଜବତ କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି।
ତହସିଲଦାର ତାଙ୍କ ଜ୍ଞାତ ଆୟ ଉତ୍ସ ଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ତାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି।
ତେବେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ ୨୦୧୮ର ଧାରା ୭ ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।