ମେରଠ: ଉତ୍ତର ପ୍ରଦେଶର ମେରଠ ଜିଲ୍ଲାରେ ଲିସାଡି ଗେଟ୍ ଥାନା ଅଞ୍ଚଳର କିଡୱାଇ ନଗରରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଇକବାଲ ଅହମ୍ମଦଙ୍କ ଘରେ ହଠାତ୍ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତଙ୍କୁ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତିନି ଜଣ ଶିଶୁଙ୍କ ସମେତ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଇକବାଲ ଅହମ୍ମଦଙ୍କ ପରିବାର କିଦୱାଇ ନଗରରେ ରୁହନ୍ତି। ସୋମବାର ସମସ୍ତେ ଘରେ ଉପସ୍ଥିତ ଥିଲେ। ରାତି ୯ଟା ୩୦ରେ ଘରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ଥିବା ପରିବାର ରକ୍ଷା ପାଇଯାଇଥିଲେ, କିନ୍ତୁ ପ୍ରଥମ ମହଲାରେ ଥିବା ଲୋକମାନେ ଫସି ରହିଥିଲେ। ଯେଉଁ ଘରେ ଏହି ଘଟଣା ଘଟିଛି ସେହି ଘରର ତଳ ମହଲାରେ ଏକ କପଡ଼ା ଗୋଦାମ ଥିଲା। ପରିବାର ଉପର ମହଲାରେ ରହୁଥିଲେ। ସୋମବାର ସନ୍ଧ୍ୟାରେ ହଠାତ୍ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା।
ଏହା ଉପର ମହଲାକୁ ବ୍ୟାପିଥିଲା। ଭିତରେ ଫସି ରହିଥିବା ପିଲା ଓ ମହିଳାମାନେ ବାହାରକୁ ପଳାଇ ଆସିବାର ସୁଯୋଗ ପାଇ ନଥଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଅଞ୍ଚଳର ରାସ୍ତା ସଂକୀର୍ଣ୍ଣ ଥିବାରୁ ଅଗ୍ନିଶମ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିବା ପାଇଁ କଷ୍ଟକର ହୋଇଥିଲା । ଫସି ରହିଥିବା ପରିବାରର ସାତ ଜଣ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ, ପୋଲିସ ଓ ଅଗ୍ନିଶମ ବାହିନୀ ଘର ପଛ ପାଚେରୀ ଭାଙ୍ଗି ସିଡ଼ି ବ୍ୟବହାର କରି ସେମାନଙ୍କୁ ଜଣ ଜଣ କରି ବାହାର କରିଥିଲେ।
ଅଗ୍ନିକାଣ୍ଡ ଯୋଗୁ ଦୁଇ ମହିଳା ଓ ପାଞ୍ଚ ଜଣ ଶିଶୁ ପୋଡ଼ି ଯାଇଥିଲେ। ସମସ୍ତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତିନି ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିବା ସହିତ ମୃତ୍ୟୁ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି ।