ଭୁବନେଶ୍ବର: ବିଶ୍ବ ମହିଳା ଦିବସ ଉପଲକ୍ଷେ ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା । ‘ସୁଭଦ୍ରା’ର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀ ତାଳବଣିଆ କାର୍ଯ୍ୟକ୍ରମରେ ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଥିସହିତ ଚଳିତ ଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି ।
ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ଦିଗରେ ‘ସୁଭଦ୍ରା’ ଯୋଜନା ନାରୀଶକ୍ତିର ସ୍ୱପ୍ନକୁ ଏକ ନୂତନ ପରିଚୟ ଦେଇଛି । ମହିଳାମାନେ ନିଜସ୍ୱ ବ୍ୟବସାୟ ଏବଂ ଦକ୍ଷତା ବିକାଶ ସହ ଜଡ଼ିତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ।
ସେହିପରି, ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆ ଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ପାଖାପାଖି ୫ ହଜାର କୋଟିରୁ ଅଧିକ ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆବଣ୍ଟିତ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ତେବେ ଚଳିତ ଥର ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ। ଅଭିଯୋଗ ପୋର୍ଟାଲ୍ରେ ଆସିଥିବା ଅଭିଯୋଗରୁ ମଧ୍ୟ ୩୬ ହଜାର ୩୮୫ ଜଣ ହିତାଧିକାରୀ ଏଥର ସୁଭଦ୍ରା ଟଙ୍କା ପାଇବେ ।