Latest Odisha News

BREAKING NEWS

Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…

ପୁରୀ:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଓ ବିଶୃଙ୍ଖଳ ଆଚରଣ ନେଇ ଜଣେ ଖୁଣ୍ଟିଆ ସେବକଙ୍କୁ ତିନି ମାସ ପାଇଁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରାମକୃଷ୍ଣ ଖୁଣ୍ଟିଆଙ୍କୁ ତିନି ମାସ ପାଇଁ ନିଲମ୍ବନ କରାଯାଇଛି। ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ସର୍ତ୍ତସହ କ୍ଷମା କରାଯାଇଥିବା ବେଳେ ଭବିଷ୍ୟତରେ ଏପରି ଆଚରଣ ପୁନରାବୃତ୍ତି ହେଲେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି ।

ସୂଚନାଥାଉକି, ଗତ ଫେବୃଆରୀ ୨୮ ତାରିଖରେ କେତେକ ସେବକଙ୍କ ଅଶୋଭନୀୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ଶ୍ରୀମନ୍ଦିରର ନୀତି ପ୍ରାୟ ଚାରି ଘଣ୍ଟା ବିଳମ୍ବିତ ହୋଇଥିଲା । ଏହା ଫଳରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେବା ସହ ନିର୍ଦ୍ଦିଷ୍ଟ ସମୟରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ । ଘଟଣା ସମୟରେ କର୍ତ୍ତବ୍ୟରତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା।

ଏହି ଘଟଣାରେ ସଂପୃକ୍ତ ଛାମୁ ଖୁଣ୍ଟିଆ ସେବକ ରାମକୃଷ୍ଣ ଖୁଣ୍ଟିଆ ଏବଂ ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ (ହାତୀ) ଓ ମଧୁସୂଦନ ଖୁଣ୍ଟିଆ (ଷଣ୍ଢି)ଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ କୈଫିୟତ ତଲବ କରିଥିଲେ।

ତେବେ ସଂପୃକ୍ତ ସେବକମାନଙ୍କ ଉତ୍ତର ଓ ପ୍ରଶାସନର ଅଧିକାରୀ-କର୍ମଚାରୀଙ୍କ ପକ୍ଷ ଶୁଣିବା ପରେ ରାମକୃଷ୍ଣ ଖୁଣ୍ଟିଆଙ୍କୁ ତିନି ମାସ ପାଇଁ ନିଲମ୍ବନ କରାଯାଇଛି । ଏହି ଅବଧି ମଧ୍ୟରେ ସେ ଶ୍ରୀମନ୍ଦିରର କୌଣସି ସେବା-ପୂଜାରେ ସାମିଲ ହୋଇପାରିବେ ନାହିଁ। ନିଲମ୍ବନ ଅବଧି ସମୟରେ ଯଦି ସେ କୌଣସି ସେବକ କିମ୍ବା ବ୍ୟକ୍ତିଙ୍କୁ ପ୍ରଲୋଭନ ବା ଧମକ ଦେବା କିମ୍ବା ଶ୍ରୀମନ୍ଦିରର ସେବାପୂଜା ଓ ନୀତିରେ ବାଧା ସୃଷ୍ଟି କରିବା ପରି କାର୍ଯ୍ୟରେ ଲିପ୍ତ ହେବେ, ତେବେ ନିଲମ୍ବନ ଅବଧିକୁ ବଢ଼ାଯିବା ଓ ଶାଢୀବନ୍ଧା ଆଦେଶ ପ୍ରତ୍ୟାହାର କରି କଠୋରତର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।

ଅଧିକାଂଶ ସେବକଙ୍କ ସମୟୋଚିତ ସହଯୋଗ ଓ ଉତ୍ତମ ସମନ୍ୱୟରେ ଶ୍ରୀମନ୍ଦିରର ନୀତିକାନ୍ତି ସୁଚାରୁ ଭାବରେ ସମ୍ପାଦିତ ହେଉଥିବା ବେଳେ କେତେକ ସେବକଙ୍କ ବିଶୃଂଖଳ ଆଚରଣ ଯୋଗୁଁ ନୀତି ବ୍ୟାହତ ହେବା ଦୁଃଖଦାୟକ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.