ମୟୂରଭଞ୍ଜ: ଆଜି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ଆଜି ଅପରାହ୍ଣ ପ୍ରାୟ ୪ଟା ୪୦ ମିନିଟ୍ରେ ହଠାତ୍ କାଳବୈଖାଖୀ ପ୍ରଭାବରେ ଏକ ଅଟୋ ଓ ସ୍କୁଟି ଉଡି ପୋଖରୀରେ ପଡିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ୭୦ରୁ ଅଧିକ ଖପର ଘର କ୍ଷତିଗ୍ରସ୍ତ ହୋଇଛି ।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । ଘୂର୍ଣ୍ଣିଝଡ ଯୋଗୁଁ ଡୁମୁରିଆ, କିଆ, ପାଣପୋଷି ଓ କଙ୍କଡା ଗ୍ରାମରେ ବ୍ୟାପକ କ୍ଷତି ହୋଇଥିବା ଜଣାଯାଇଛି।ପବନ ଓ କୁଆ ପଥର ମାଡ଼ରେ ୭୦ରୁ ଅଧିକ ଘର ଭାଙ୍ଗିଥିଲା । ମୃତକଙ୍କ ମଧ୍ୟରେ ପୁରୁଣାପାଣି ଗ୍ରାମର ମାଳତୀ ମହାନ୍ତ ଓ କେନ୍ଦୁଝର ଜିଲ୍ଲା ପାଟଣା ଥାନା ହଳଦୀବଟା ଗ୍ରାମର ପୋଲିସ ନାୟକ ବୋଲି ଜଣାପଡିଛି ।
ସୂଚନାଥାଉକି, ଭୟଙ୍କର ପବନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ସହ ରାସ୍ତାରେ ଯାଉଥିବା ଗୋଟିଏ ଅଟୋ ଓ ତିନି ବାଇକକୁ ମଧ୍ୟ ପବନରେ ଉଡ଼ାଇ ଫିଙ୍ଗି ଦେଇଛି। ରାସ୍ତାରେ ଯାଉଥିବା ଏକ ଅଟୋକୁ ପ୍ରାୟ ୫୦ ଫୁଟ ପବନରେ ଉଡ଼ାଇ ପୋଖରୀରେ ପକାଇବା ଯୋଗୁଁ ସେଥିରେ ଥିବା ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ଥିବା ଅନ୍ୟ ଯାତ୍ରୀଙ୍କ ସମେତ ତିନି ବାଇକ୍ରେ ଥିବା ୫ ଯାତ୍ରୀଙ୍କୁ ଘୂର୍ଣ୍ଣି ଝଡ଼ ଉଡ଼ାଇ ନେଇ ପୋଖରୀରେ କଚାଡ଼ି ଦେଇଛି।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଉପଖଣ୍ଡ ପ୍ରସାଶନ, ପୁଲିସ ପ୍ରସାଶନ, ତହସିଲ ଓ ଡାକ୍ତରୀ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଆହତଙ୍କୁ ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଭୟଙ୍କର ଘୂର୍ଣ୍ଣି ଝଡ଼ରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।