ଭୁବନେଶ୍ୱର: ଯଦି ଆପଣ ଅଣ୍ଡା ଖାଆନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବିଶେଷ। ବହୁତ ଶୀଘ୍ର, ଆପଣ ପ୍ରତ୍ୟେକ ଅଣ୍ଡାରେ ଏକ୍ସପାଏରୀ ତାରିଖ ଲେଖାଥିବା ଦେଖିବାକୁ ପାଇବେ। ୧ ଏପ୍ରିଲରୁ, ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଣ୍ଡା ବ୍ୟବସାୟୀଙ୍କ ପାଇଁ ପ୍ରତ୍ୟେକ ଅଣ୍ଡାରେ ଏକ୍ସପାଏରୀ ତାରିଖ ମୋହର ଲଗାଇବା ବାଧ୍ୟତାମୂଳକ କରିଛନ୍ତି। ୟୁପି ସରକରାଙ୍କ ଏପରି ନିଷ୍ପତ୍ତିକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ଉତ୍ତରପ୍ରଦେଶ ଭଳି ଓଡ଼ିଶା ସରକାର କେବେ ଏଭଳି ନିଷ୍ପତ୍ତି ନେବେ ତାକୁ ନେଇ ଗ୍ରାହକ ମହଲରେ ପ୍ରଶ୍ନ ଉଠିଛି।
ବଜାରରେ କେଉଁ ଅଣ୍ଡା ଭଲ ଆଉ କେଉଁଟା ଖରାପ ତାକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହିଛି। ଏମିତି ବି ସ୍ଥିତି ଆସିଛି, ରୋଷେଇ ବେଳେ ଅଣ୍ଡା ଫଟେଇବା ବେଳେ ତାହା ପଚିଯାଇଥିବା ଦେଖିବାକୁ ମିଳୁଛି। କାରଣ ଓଡ଼ିଶାରେ ଯେଉଁ ଅଣ୍ଡା ବ୍ୟବହାର କରାଯାଉଛି, ସେ ଅଣ୍ଡା କିମ୍ବା ପେଟିରେ ଏକ୍ସପାଏରୀ ତାରିଖ ଉଲ୍ଲେଖ ନଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖରାପ ଅଣ୍ଡା ଖାଇଲେ, ଶରୀରରେ ଅନେକ ସମସ୍ୟା ଦେଖାଦିଏ। ସ୍ୱାସ୍ଥ୍ୟକୁ ଗୁରୁତର କରିଦେଇଥାଏ। ବଡ଼କଥା ହେଉଛି ଓଡ଼ିଶାରେ ଆମିଷ ଖାଦ୍ୟକୁ ଅଧିକ ଦିନ ମହଜୁଦ ରଖିବା ପାଇଁ ଶୀତଳଭଣ୍ଡାର ନାହିଁ। ଯାହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ଦାବିପତ୍ର ଦେଇଆସୁଛି।
ଏ ସଂକ୍ରାନ୍ତରେ ଓଡ଼ିଶା ପୋଲଟ୍ରି ଫେଡେରସନ୍ର ସାଧାରଣ ସମ୍ପାଦକ ଜ୍ୟୋତିକାନ୍ତ ମହାପାତ୍ର କହିଛନ୍ତି, ଉତ୍ତରପ୍ରଦେଶ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଉତ୍ତମ । ହେଲେ ଆମେ ଏ ଦିଗରେ ତର୍ଜମା କରିବାର ଆବଶ୍ୟକତା ରହିଛି । ପ୍ରାଣୀ ପାଳନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏହା ଅସମ୍ଭବ ପରି ମନେ ହେଉଛି ସତ। ହେଲେ ଆମେ ବିଭାଗୀୟ ସ୍ତରରେ ଆଲୋଚନା କରି ସରକାରଙ୍କୁ ପ୍ରସ୍ତାବ ଦେବୁ । ଖୁବ୍ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ।