ପୁରୀ: ପୁରୀରେ ଆଜି ଆଉ କିଛି ସମୟ ପେରେ ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ହେବ । ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହା ପୂର୍ବରୁ ମନ୍ତ୍ରୀ ଶୁଭ ମନାସିଲେ । ଜଗନ୍ନଥଙ୍କୁ ଦର୍ଶନ କଲେ । ଗଣତି ମଣତି ସୁରୁଖୁରୁରେ ଶେଷ କରିବା ନେଇ ଆଶିର୍ବାଦ ଲୋଡ଼ିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ।
ତେବେ ସୂଚନା ଥାଉକି, ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ମଧ୍ୟାହ୍ନ ୧୨ଟା ୦୯ ରୁ ଦିନ ଗୋଟାଏ ୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି । ଏହି ପ୍ରକ୍ରିୟାର ଭିଡ଼ିଓଗ୍ରାଫି,ଫଟୋଗ୍ରାଫି ଓ 3D ମ୍ୟାପିଂ କରାଯିବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ । ୧୯୭୮ ମସିହାର ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ସହ ଏହାର ମେଳ କରାଯିବ ।
ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିନ୍ଦୁକରେ ରଖାଯିବ । ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ ।
ଗଣତିମଣତି ବେଳେ କୌଣସି ମୂଲ୍ୟାୟନ ହେବ ନାହିଁ । ପାରମ୍ପରିକ ବସ୍ତ୍ର ପିନ୍ଧି ହେବ ଗଣତିମଣତି । ଗଣତିମଣତି ବେଳେ ବାହାର କାଠପାଖରୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ବିଶେଷ ଦିନ,ପର୍ବ ପର୍ବାଣୀ ,ଶନିବାର ଓ ରବିବାରରେ ଗଣତିମଣତି ହେବ ନାହିଁ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ସୁପରଭାଇଜିଂ ଟିମ ଓ ହାଣ୍ଡଲିଂ ଟିମ ଦୁଇଟି ଟିମ୍ ଗଠିତ ହୋଇଛି । ଭିତର ରତ୍ନଭଣ୍ଡାରର ଗଣତିମଣତି ଦିନ ଟ୍ରେଜେରୀରୁ ଚାବି ଆସିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବ ଏବଂ ବନ୍ଦ କରାଯିବ ।