ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଘାଟି ନିକଟ ହନୁମାନଘାଟି ବୁଲାଣୀ ରାସ୍ତାରେ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ବ୍ରହ୍ମପୁରରୁ ଛାଡ଼ିଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଅନିଲ୍) ପଶ୍ଚିମ ଓଡ଼ିଶାର ହରିଶଙ୍କର ମନ୍ଦିର ଦର୍ଶନ ପାଇଁ ଯାଉଥିଲା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଘାଟି ନିକଟ ହନୁମାନଘାଟି ବୁଲାଣୀ ରାସ୍ତାରେ ବସ୍ଟି ହଠାତ୍ ଭାରସାମ୍ୟ ହରାଇ ଏକ ବଡ଼ ପଥରକୁ ଜୋର୍ରେ ଧକ୍କା ଦେଇଥିଲା । ଏହା ପରେ ବସଟି ଓଲଟି ପଡ଼ିଥିଲା । ଯାତ୍ରୀମାନେ ବସ୍ ଭିତରେ ଛିଟିକି ପଡ଼ିଥିଲେ ଏବଂ ଅନେକେ ବସ୍ ତଳେ ଚାପି ହୋଇ ରହିଯାଇଥିଲେ ।
ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ, ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖବର ପାଇ ଦଶପଲ୍ଲା ଏବଂ ବାଣୀଗୋଛା ପୋଲିସ, ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ୟାସ୍ କଟର୍ ସାହାଯ୍ୟରେ ବସ୍ କୁ କାଟି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ୧୫ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।