Latest Odisha News

BREAKING NEWS

ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜନୀତି। ମଙ୍ଗଳବାର ଗୌହାଟୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜାରି ହୋଇଛି ନିର୍ବାଚନୀ ଇସ୍ତାହାର ବା ‘ସଂକଳ୍ପ ପତ୍ର’ । କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଉନ୍ମୋଚନ କରିଥିବା ବେଳେ ଏଥିରେ ବିକାଶ ସହ ସାମାଜିକ ସୁରକ୍ଷାକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । କଣ ରହିଛି ବିଜେପିର ଏହି ମାଷ୍ଟର ପ୍ଲାନ୍, ଦେଖନ୍ତୁ ଏହି ରିପୋର୍ଟ…

ଆସାମ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେପି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପସ୍ଥିତିରେ ଜାରି ହୋଇଛି ସଂକଳ୍ପ ପତ୍ର । ‘ସୁରକ୍ଷିତ ଆସାମ, ବିକଶିତ ଆସାମ’ର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି ଦଳ । ଏଥିରେ ସବୁଠାରୁ ବଡ଼ ଘୋଷଣା ହେଉଛି ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ । ରାଜ୍ୟର ଅର୍ଥନୀତିକୁ ସଶକ୍ତ କରିବା ସହ ପ୍ରତି ବ୍ୟକ୍ତିଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ପ୍ରତିଶ୍ରୁତି ଦେଇଛି ବିଜେପି । ଆସନ୍ତା ୫ ବର୍ଷରେ ୨ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଦେବାକୁ କୁହାଯାଇଥିବା ବେଳେ ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ମେଡିକାଲ କଲେଜ’ ଏବଂ ପ୍ରତି ଜିଲ୍ଲାରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ସେହିପରି ବାରମ୍ବାର ବନ୍ୟା ସମସ୍ୟାର ସମ୍ମୁଖୀନ ହେଉଥିବା ଆସାମକୁ ବନ୍ୟାମୁକ୍ତ କରିବା ପାଇଁ ପ୍ରଥମ ଦୁଇ ବର୍ଷରେ ୧୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି ପାର୍ଟି ।

ତେବେ ଏହି ସଂକଳ୍ପ ପତ୍ରରେ ସବୁଠାରୁ ଚର୍ଚ୍ଚିତ ବିଷୟ ପାଲଟିଛି ‘ଜମି ଜିହାଦ’ ଏବଂ ‘ୟୁସିସି’ । ଆସାମର ଭୂମି ଉପରେ ହେଉଥିବା ଅବୈଧ କବ୍‌ଜାକୁ ରୋକିବା ପାଇଁ ‘ଜମି ଜିହାଦ’ ବିରୋଧରେ କଠୋର ଆଇନ ଆଣିବ ବିଜେପି । ଏହାସହ ସାରା ରାଜ୍ୟରେ ସମାନ ନାଗରିକ ସଂହିତା ବା UCC ଲାଗୁ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ଷଷ୍ଠ ଅନୁସୂଚୀ ଏବଂ ଜନଜାତି ଅଞ୍ଚଳକୁ ଏଥିରୁ ବାଦ୍ ଦିଆଯାଇଛି ।

ଆସାମର ୧୨୬ଟି ଆସନ ପାଇଁ ଆସନ୍ତା ଏପ୍ରିଲ ୯ ତାରିଖରେ ମତଦାନ ହେବ ଏବଂ ମେ’ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ବିଜେପିର ଏହି ‘ସଂକଳ୍ପ ପତ୍ର’ ଜନତାଙ୍କ ମନ କେତେ ଜିତିପାରୁଛି, ତାହା ମେ ୪ ତାରିଖରେ ଜଣାପଡ଼ିବ ।

Leave A Reply

Your email address will not be published.