ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀ ୧୨ ଟଙ୍କାରୁ ଅଧିକରେ ଆଳୁ ବିକ୍ରି କଲେ ଯିବାକୁ ହେବ ଜେଲ୍ । ରାଜଧାନୀର ବିଭିନ୍ନ ମାର୍କେଟରେ ଚଢାଉ କରାଯିବା ସହ ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନନ୍ଦ୍ରେ ମିଶ୍ର, ବିଏମସି ଏସିଏସଓ ସହିତ ଭୁବନେଶ୍ୱର ସବୁ ବ୍ୟବସାୟୀ ଯୋଗଦେଇଥିଲେ । ଆଳୁ ଓ ପିଆଜ ବିକ୍ରି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ବୈଠକରେ ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି ହେବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ । ଏହା ସହ ପିଆଜ ଦର ମଧ୍ୟ ୨୦ ଟଙ୍କାରୁ ଅଧିକ ବିକ୍ରି ହେବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଏହାପରେ ଆରମ୍ଭ ହୋଇଥିଲା ଚଢାଉ । ଯୋଗାଣ ବିଭାଗର ଏସିଏସ୍ଓଙ୍କ ନେତୃତ୍ୱରରେ ୟୁନିଟ୍-୧, ୟୁନିଟ୍-୪ ମାର୍କେଟରେ ଚଢ଼ାଉ କରାଯାଇଥିଲା ।
ଖାଲି ଆଳୁ କି ପିଆଜ ନୁହେଁ । ବିଭାଗ ପକ୍ଷରୁ ହାଟରେ ଥିବା ସବୁ ଗ୍ରୋସରୀ ଦୋକାନ ବି ଯାଞ୍ଚ କରାଯାଇଛି । ଚାଉଳ, ଡାଲି, ତେଲ ଦର ଯାଞ୍ଚ କରାଯାଇଥିଲା । ଏହାସହ ବଡ ଗୋଦାମରେ ଥିବା ଷ୍ଟକ ବି ଯାଞ୍ଚ କରିଛି ଯୋଗାଣ ବିଭାଗ ।