ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି । ଜାଲିଆତି କରି ବିଭାଗରୁ ପ୍ରାୟ ୩କୋଟି ୬୭ ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ ।
ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ ଜୁନିଅର ଆସିଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା । ଏହି ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଏଏସଆଇ ଅଚ୍ୟୁତ ଦେହୁରୀଙ୍କ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି ।
ପେନସନ ନାଁରେ ଅବସରପ୍ରାପ୍ତ ଅଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ କିରାଣୀ । ପରେ ସେହି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ପଠାଯାଉଥିଲା । ଗତ ମାର୍ଚ୍ଚ ୯ ତାରିଖରେ ଟଙ୍କା ଲୁଟ୍ ନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ପ୍ରାୟ ୩ କୋଟି ୬୭ ଲକ୍ଷ ଟଙ୍କା ହେରଫେର ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ । ସେହିପରି ୪୪ ଲକ୍ଷ ଟଙ୍କା ଆକାଉଣ୍ଟରେ ଫ୍ରିଜ୍ କରାଯାଇଛି ।