Latest Odisha News

BREAKING NEWS

Odia signboard: ଓଡ଼ିଆ ଭାଷାରେ ନାମ ଫଳକ ନରହିଲେ ଗଣିବେ ଜରିମାନା

ଭୁବନେଶ୍ଵର:ଓଡ଼ିଆ ଭାଷାରେ ନାମ ଫଳକ ନ ରହିଲେ ହେବ ଆକ୍ସନ। ଶୁଦ୍ଧ ଓଡ଼ିଆ ଭାଷାରେ ଲେଖାହେବ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ।ଯଦି ନ ଲେଖିବେ ତେବେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବେ। ଲୋୟର୍ ପିଏମଜିରେ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାଲିକଙ୍କୁ କଡ଼ା ବାର୍ତ୍ତା ଦିଆଯାଇଛି।

ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବା ଏଣିକି ବାଧ୍ୟତା ମୂଳକ ହୋଇଛି । ଯଦି କୌଣସି ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ନଲେଖନ୍ତି, ତେବେ ସେହି ପ୍ରତିଷ୍ଠାନର ମାଲିକଙ୍କୁ ପ୍ରଥମଥର ନିୟମ ଉଲ୍ଲଂଘନ ପାଇଁ ଅତିକମ୍ ରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ସେହିପରି ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଥର ଉଲ୍ଲଂଘନ ପାଇଁ ଅତିକମ୍ ରେ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

ଯଦି କୌଣସି ପ୍ରତିଷ୍ଠାନରେ ଏହିଭଳି ନାମ ଫଳକ ସ୍ପଷ୍ଟ ଭାବେ ଲେଖା ହୋଇନଥିବ ତେବେ ଯେକେହି ବି ତୁରନ୍ତ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ଵରରେ ୮ଟି ଦଳ ନିୟମ ଉଲଙ୍ଘନକାରୀଙ୍କୁ ଧରିବେ। ସେହିଭଳି ଓଡ଼ିଶାର ସବୁ ଜିଲ୍ଲାରେ ସ୍କ୍ୱାଡ୍ ରହିବେ ବୋଲି ଶ୍ରମ କମିଶନର କହିଛନ୍ତି।

ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା। ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟବ୍ୟାପୀ ସମସ୍ତ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ରାଜ୍ୟ ସରକାର ଆହ୍ବାନ ଦେଉଛନ୍ତି।

Leave A Reply

Your email address will not be published.