ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମ୍ୟାଚରେ ସମୀର ରିଜଭିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୬୨ ରନ କରିଥିଲା । ରୋହିତ ଶର୍ମା ୩୫ ଓ ସୂର୍ଯ୍ୟକୁମାର ଯାଦବ ୫୧ ରନ କରିଥିଲେ । ନମନ ଧୀର ୨୮ ରନର ଯୋଗଦାନ ଦେଇଥିଲେ । ମୁକେଶ କୁମାର ୨ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଦିଲ୍ଲୀ ୭ ରନରେ ୨ଟି ୱିକେଟ ହରାଇ ବିପଦରେ ପଡିଥିଲା । କେଏଲ ରାହୁଲ ୧ ଓ ନୀତିଶ ରାଣା ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ ।
ପାଥୁମ ନିଶାଙ୍କା ୪୪ ରନ କରି ଆଉଟ ହେଲା ବେଳକୁ ଦଳର ସ୍କୋର ୭୩ ଥିଲା । ଏହା ପରେ ରିଜଭି ୫୧ ବଲରେ ୯୦ ରନ କରି ମ୍ୟାଚକୁ ଏକତରଫା ଜିତାଇଥିଲେ । ଏହି ଇନିଂସରେ ସେ ୭ ଚୌକା ଓ ୭ ଛକା ମାରିଥିଲେ । ୧୮.୧ ଓଭରରେ ୪ ୱିକେଟ ହରାଇ ଦିଲ୍ଲୀ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ସମୀର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦୀପକ ଚହର, ମିଚେଲ ସାଂଟେନର ଓ କୋର୍ଭିନ ବୋଶ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।