ଭୁବନେଶ୍ୱର:ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ ହୋଇଛନ୍ତି । କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟୀ ନୂଆ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ। ସେହିପରି ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର। ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି।
ପ୍ରଫେସର ସଞ୍ଜୟ କୁମାର ପାତ୍ର ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି, ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି, ପ୍ରଫେସର ଅସୀମା ସାହୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି, ପ୍ରଫେସର ପବନ କୁମାର ଅଗ୍ରୱାଲ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି, ପ୍ରଫେସର ଶିବରାମ ତ୍ରିପାଠୀ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।
ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଏମଏସସିବିଡି ବିଶ୍ୱବିଦ୍ୟାଳୟ କୁଳପତି, ପ୍ରଫେସର ବିଭୂତି ଭୂଷଣ ମଲିକ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି, ପ୍ରଫେସର ଜ୍ୟୋସ୍ନା କେବି ରାଉତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି। ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି। ପ୍ରଫେସର ହୃଷିକେଶ ସେନାପତି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ କୁଳପତି।ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।।
ନୂତନ ଭାବେ ନିଯୁକ୍ତି ପାଇଥିବା କୁଳପତିମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, “କୁଳପତି ପଦବୀ ଖାଲି ଥିବା ରାଜ୍ୟର ସମସ୍ତ ୧୪ଟି ବିଶ୍ୱବିଦ୍ୟାଳୟ ନିମନ୍ତେ ନୂତନ କୁଳପତି ନିଯୁକ୍ତି କରିଥିବାରୁ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ପାଟିଙ୍କୁ ଧନ୍ୟବାଦ ଜଣାଉଛି। ଏହି ନିଷ୍ପତ୍ତି ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସମସ୍ତ ନବନିଯୁକ୍ତ କୁଳପତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କୁଳପତିମାନଙ୍କର ଅନୁଭବ, ଅଭିଜ୍ଞତା, ଦୂରଦର୍ଶିତା, ଦକ୍ଷତା ଓ ମାର୍ଗଦର୍ଶନରେ ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷା କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ ବୋଲି ମୋର ବିଶ୍ୱାସ। ଆପଣମାନଙ୍କ ସଫଳ କାର୍ଯ୍ୟକାଳ ଓ ବିଦ୍ୟାର୍ଥୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛି। ”