ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରୁ ନୂଆ ରତ୍ନ ପଲଙ୍କରେ ନିଦ୍ରା ଯିବେ ମହାପ୍ରଭୁ। ତିନି ସେଟ୍ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି। ଆସନ୍ତା ୧୪ ଏପ୍ରିଲରୁ ଏହା ବ୍ୟବହାର ହେବ। ପୁରୁଣା ରତ୍ନ ପଲଙ୍କ ଡିଜାଇନକୁ ଅନୁସରଣ କରି ରୂପା ଆଚ୍ଛାଦିତ ନୂତନ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି। ପୁରୁଣା ପଲଙ୍କର ହାତୀ ଦାନ୍ତ ମଧ୍ୟ ନୂଆ ପଲଙ୍କରେ ବ୍ୟବହୃତ ହୋଇଛି।
ସେହିପରି ପୁରୁଣା ପଲଙ୍କ ଗୁଡ଼ିକ ବର୍ତ୍ତମାନ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିଅମରେ ରହିବ। ପରେ ଏହାକୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଉପଲବ୍ଧ କରିବାକୁ ହେଉଛି ଯୋଜନା। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବାକୁ ଥିବା ଚନ୍ଦନ ଯାତ୍ରା, ନୃସିଂହ ଜନ୍ମ, ଭଉଁରୀ ଯାତ୍ରା, ହଳଦୀ ପାଇଁ ଇତ୍ୟାଦି ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଜିଲ୍ଲାପାଳଙ୍କ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ମ୍ୟୁନିସପାଲିଟି, ଜିଲ୍ଲା, ପ୍ରଶାସନ, ପୋଲିସ ପ୍ରଶାସନକୁ ଦାୟିତ୍ଵ ବଣ୍ଟନ କରାଯାଇଛି।
ସେପଟେ ଆସନ୍ତାକାଲି ଠାରୁ ବାହାର ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବାହ୍ନ ୧୧ ଟା ୩୦ ଠାରୁ ଆରମ୍ଭ ହେବ ପ୍ରକ୍ରିୟା। ସ୍ବଚ୍ଛତା ଓ ସଠିକ୍ ଭାବରେ ଗଣତି କାର୍ଯ୍ୟ କରିବା ପାଇଁ ସମୟ ଦରକାର କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏଥର ଶନିବାର ମଧ୍ୟ ହେବ ରତ୍ନ ଗଣତି। ପୂର୍ବରୁ ଶନିବାର ଓ ରବିବାର ଗଣତି ବନ୍ଦ୍ ରଖିବା ପାଇଁ ହୋଇଥିଲା ନିଷ୍ପତ୍ତି। ତେବେ ଗଣତି ସମୟରେ ବାହାର କାଠରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଜଗମୋହନ ଓ ପୋଖାରିଆକୁ କେବଳ ନୀତି ସମ୍ପୃକ୍ତ ସେବାୟତ ମାନେ ହିଁ ଯାଇପାରିବେ।
ସେପଟେ ଆଲୋକୀକରଣ ପାଇଁ ଏଏସଆଇ ର ପରାମର୍ଶଦାତା ସ୍ତରରେ ସମୀକ୍ଷା ସରିଛି। ଜିଲ୍ଲପାଳଙ୍କ ସ୍ତରରେ ଗଠିତ ସବ୍ କମିଟି ମଧ୍ୟ ସମୀକ୍ଷା କରିଛନ୍ତି। ଖୁବ୍ ଶୀଘ୍ର ହେବ ଟେଣ୍ଡର ପ୍ରକ୍ରିୟା। ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଲାଇଟ ମୂଳ ମନ୍ଦିର ସହ, ପାର୍ଶ୍ୱ ମନ୍ଦିର, କୁରୁମ ବେଢ଼ା ,ମେଘନାଦ ପାଚେରୀକୁ ଆଲୋକୀକରଣ କରିବ। ଯେଉଁ କମ୍ପାନୀ ଟେଣ୍ଡର ନେବ ୫ ବର୍ଷ ଯାଏଁ ମେଣ୍ଟେନାନ୍ସ ଦାୟିତ୍ୱ ମଧ୍ୟ ନେବ। ସେପଟେ ନାଟମଣ୍ଡପ ଏୟାର କଣ୍ଡିସନିଂ ପାଇଁ ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ଏୟାର କଣ୍ଡିସନିଂ ପାଇଁ ମଧ୍ୟ ଖୁବ୍ ଶୀଘ୍ର ଟେଣ୍ଡର ହେବ।