ନ୍ୟୁ ଚଣ୍ଡୀଗଡ: ଚଳିତ ଆଇପିଏଲରେ ଶନିବାର କିଙ୍ଗସ ଏକାଦଶ ପଞ୍ଜାବ ୬ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପଞ୍ଜାବର ଏହା ତୃତୀୟ ବିଜୟ । ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ସାଜିଥିବା ଏହି ପିଚରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ବିନିମୟରେ ୨୧୯ ରନ କରିଥିଲେ । ଅଭିଷେକ ଶର୍ମା ୨୮ ବଲରୁ ୭୪, ଟ୍ରେଭିସ ହେଡ ୨୩ ବଲରୁ ୩୮ ଓ ହେନରିକ କ୍ଲାସେନ ୩୩ ବଲରୁ ୩୯ ରନ କରିଥିଲେ ।
ଜବାବରେ ୨୨୦ ରନର ବିଜୟ ଲକ୍ଷ୍ୟକୁ ୧୮.୫ ଓଭରରେ ୪ ୱିକେଟ ହରାଇ ପଞ୍ଜାବ ହାସଲ କରି ନେଇଥିଲା । ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମ୍ରନ ସିଂ ପ୍ରଥମ ୱିକେଟରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ୬.୨ ଓଭରରେ ୯୯ ରନ ସଂଗ୍ରହ କରିଥିଲେ । ପ୍ରିୟାଂଶ ୨୦ ବଲରୁ ୫୭ ଓ ପ୍ରଭସିମ୍ରନ ୨୫ ବଲରୁ ୫୧ ରନ କରିଥିଲେ । ଅଧିନାୟକ ଶ୍ରେୟାଶ ଆୟାର ୩୩ ବଲରୁ ଅପରାଜିତ ୬୯ ରନ କରି ଦଳକୁ ବିଜୟୀ କରାଇଥିଲେ । ପଞ୍ଜାବ ୪ ମ୍ୟାଚରୁ ୭ ପଂଏଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୪ ମ୍ୟାଚରୁ ୨ ପଂଏଟ ପାଇ ୬ଷ୍ଠ ସ୍ଥାନରେ ରହିଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଶ୍ରେୟାଶ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ହାଇଦ୍ରାବାଦ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଭାଗରେ ଦ୍ରୁତ ବେଗରେ ରନ ସଂଗ୍ରହ କରିପାରି ନ ଥିଲା ।