ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରାଜନୀତିରୁ ଆସୁଛି ଏକ ବଡ଼ ଖବର। ଇରାନ ଏବଂ ହର୍ମୁଜ ଷ୍ଟ୍ରେଟ୍ କୁ ନେଇ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ବଢୁଛି ଦୂରତା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାକାବନ୍ଦୀ ଯୋଜନାକୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି ବ୍ରିଟେନ ଏବଂ ଫ୍ରାନ୍ସ। ସାମୁଦ୍ରିକ ମାର୍ଗର ସୁରକ୍ଷା ପାଇଁ ଏବେ ଦୁଇ ଦେଶ ଆରମ୍ଭ କରିବାକୁ ଯାଉଛନ୍ତି ଏକ ସ୍ୱତନ୍ତ୍ର ‘ଶାନ୍ତି ମିଶନ’।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ନୀତି ବିରୋଧରେ ଏବେ ସ୍ୱର ଉଠାଇଛନ୍ତି ତାଙ୍କର ପୁରୁଣା ସହଯୋଗୀ। ଇରାନ ବିରୋଧରେ ଟ୍ରମ୍ପ ପ୍ରସ୍ତୁତ କରିଥିବା ‘ନାକାବନ୍ଦୀ’ ଯୋଜନାରେ ସାମିଲ ହେବାକୁ ମନା କରିଦେଇଛନ୍ତି ବ୍ରିଟେନ ଓ ଫ୍ରାନ୍ସ। ସେମାନଙ୍କ ସ୍ପଷ୍ଟ ମତ ଯେ, ସାମୁଦ୍ରିକ ସୀମାରେ ଯୁଦ୍ଧ ନୁହେଁ ବରଂ କୂଟନୈତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ହେବା ଜରୁରୀ।
ଏହି ଶାନ୍ତି ମିଶନକୁ ସଫଳ କରିବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ଆନ୍ତର୍ଜାତୀୟ ବୈଠକ ଡକାଯାଇଛି, ଯେଉଁଥିରେ ବିଶ୍ୱର ପ୍ରାୟ ୪୦ଟି ଦେଶକୁ ନିମନ୍ତ୍ରଣ କରାଯାଇଛି। ସମୁଦ୍ର ପଥରେ ବାଣିଜ୍ୟିକ ସ୍ୱତନ୍ତ୍ରତା ବଜାୟ ରଖିବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ।
ଇରାନ ମାମଲାରେ ଏବେ ‘ନାଟୋ’ ଦେଶମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ଜଣାପଡୁଛି। ପୂର୍ବରୁ ମଧ୍ୟ ବ୍ରିଟେନ, ଆମେରିକାର ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିନଥିଲା। ଏଥିରେ କ୍ଷୁବ୍ଧ ହୋଇ ଟ୍ରମ୍ପ କହିଥିଲେ ଯେ, ଆମେରିକା ବିନା ନାଟୋର କୌଣସି ଅସ୍ତିତ୍ୱ ନାହିଁ। କିନ୍ତୁ ବର୍ତ୍ତମାନ ୟୁରୋପୀୟ ଦେଶମାନଙ୍କର ଏହି ସ୍ୱତନ୍ତ୍ର ଆଭିମୁଖ୍ୟ ବିଶ୍ୱ ରାଜନୀତିର ସମୀକରଣ ବଦଳାଇ ଦେଇଛି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବ୍ରିଟେନ ଓ ଫ୍ରାନ୍ସର ଏହି ପଦକ୍ଷେପ ଆମେରିକାର ପ୍ରଭାବକୁ ଚ୍ୟାଲେଞ୍ଜ କରୁଛି। ହର୍ମୁଜ ସଙ୍କଟର ସମାଧାନ ବୁଲେଟରେ ହେବ ନା ବୁଝାମଣାରେ, ତାହା ଉପରେ ସାରା ବିଶ୍ୱର ନଜର ରହିଛି।