ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବ୍ୟତୀତ ରାଜ୍ୟସଭା ସଦସ୍ୟ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ଆମ ଆଦମୀ ପାର୍ଟି ଛାଡିଛନ୍ତି।
ଆମ ଆଦମୀ ପାର୍ଟିର ଟାଣୁଆ ନେତା ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏଥିସହିତ୍ ସେମାନେ ଆପକୁ ଦୁର୍ନୀତିର ଏକ ଗନ୍ତାଘର ବୋଲି କହିଛନ୍ତି। ରାଘବ ଚଢା ଦାବି କରି କହିଛନ୍ତି ଯେ, ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ବିକ୍ରମଜିତ ସାହାଣୀ ଏବଂ ରାଜେନ୍ଦ୍ର ଗୁପ୍ତା ଭଳି ପ୍ରମୁଖ ବ୍ୟକ୍ତି ମଧ୍ୟ ଦଳ ଛାଡିଛନ୍ତି। ସେହିପରି ନିଜକୁ ଭୁଲ ଦଳରେ ଠିକ ବ୍ୟକ୍ତି ଭାବରେ ବର୍ଣ୍ଣନା କରି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷର ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଯାହା ରାଜନୈତିକ ଝଡ଼ ସୃଷ୍ଟି କରିଛି।
ଏକଦା ଅରବିନ୍ଦ କେଜରିୱାଲଙ୍କ ସଙ୍କଟ ମୋଚକ ଭାବରେ ଜଣାଶୁଣା ରାଘବ ସାମ୍ବାଦିକ ସମ୍ମିଳନୀରେ ଆହୁରି କହିଛନ୍ତି, “ମୁଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଭାବରେ ମୋର କ୍ୟାରିୟର ଛାଡ଼ି ଦୁର୍ନୀତିମୁକ୍ତ ଭାରତର ସ୍ୱପ୍ନ ନେଇ ଆସିଥିଲି କିନ୍ତୁ ଆଜି ଏହି ଦଳ ନିଜେ ଦୁର୍ନୀତିରେ ଫସି ଯାଇଛି। ଆପ ଦେଶ ସ୍ବାର୍ଥ ପାଇଁ ନୁହେଁ, ବ୍ୟକ୍ତି ସ୍ବାର୍ଥ ପାଇଁ କାମ କରୁଛି। ମୁଁ ସେମାନଙ୍କ ଅପରାଧରେ ଅଂଶ ହେବାକୁ ଚାହେଁ ନାହିଁ”।