ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଶୁକ୍ରବାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସ୍ଥାନୀୟ ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ସର୍କିଟ ହାଉସରେ ଦୁଇ ନେତା ପ୍ରାୟ ଅଧଘଣ୍ଟାଏ କଥାବାର୍ତ୍ତା ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟାରେ କହିଥିଲେ, କଂଗ୍ରେସ ନେତା ଭାବେ ଲୋକଙ୍କ ସମସ୍ୟା ନେଇ ଦେଖା କରିବାକୁ ଆସିଥିଲି । ବିଶେଷ କରି ଦେଓଗାଁ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ, ସିକୁଆଁ ବ୍ୟାରେଜ , ଦେଓଗାଁ ଓ ଜରାସିଂହା ଠାରେ ଦୁଇଟି ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି ।
ଦେଓଗାଁ ଚିନିକଳ, ବଲାଙ୍ଗୀର ଠାରେ କୃଷି ମହାବିଦ୍ୟାଳୟ ବଦଳରେ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ରେ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି, ମହିଳା ମହାବିଦ୍ୟାଳୟ ସମସ୍ୟା ସମାଧାନ, ଲୋୟର ସୁକତେଲ ବିସ୍ଥାପିତଙ୍କ ସମସ୍ୟାର ସ୍ଥାୟୀ ସମାଧାନ , ଲକ୍ଷ୍ମୀଯୋର ନାଳର ଉନ୍ନତିକରଣ ଆଦି ଦାବି ସହ ପାନୀୟଜଳ ଯୋଗାଣର ଘୋର ଅସୁବିଧା ରହିଥିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ନରସିଂହ ମିଶ୍ର ।
ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ନରସିଂହଙ୍କ ଆଲୋଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।