Latest Odisha News

BREAKING NEWS

ବଲାଙ୍ଗୀରରେ ହେବ ଚିନି କଳ, ଟେକ୍ସଟାଇଲ୍ ପାର୍କ

ଭୁବନେଶ୍ବର : ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ପାଳନ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବଲାଙ୍ଗୀର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏଣିକି ବଲାଙ୍ଗୀରରେ ହେବ ଚିନି କଳ, ଟେକ୍ସଟାଇଲ୍ ପାର୍କ। ବଲାଙ୍ଗିର ଜିଲ୍ଲାପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ କହିଛନ୍ତି, ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ଆଜି କେବଳ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି।

ଜାତୀୟ ପଞ୍ଚାୟତିରାଜ ଦିବସ କେବଳ ଏକ ସମାବେଶ ନୁହେଁ, ଏହା ଗ୍ରାମାଞ୍ଚଳ ସ୍ୱ-ଶାସନ ଓ ଲୋକତନ୍ତ୍ରର ମୌଳିକ ଶକ୍ତିକୁ ଜାଗରଣ କରିବାର ଦିବସ । ୭୩ତମ ସମ୍ବିଧାନ ସଂଶୋଧନର ତିନି ଦଶକ ପରେ ପଞ୍ଚାୟତରାଜ ବ୍ୟବସ୍ଥା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି । ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରାହିଁ ଏହି ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିପାରିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ବଳିଷ୍ଠ ନେତୃତ୍ଵରେ ବିକଶିତ ଭାରତ ଗଠନ ପାଇଁ ଯେଉଁ ଉଦ୍ୟମ ଜାରି ରହିଛି, ତାକୁ ସାକାର କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଗ୍ରାମାଞ୍ଚଳରେ ଜଳ, ଜମି, ଜଙ୍ଗଲର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମହିଳା ସଶକ୍ତିକରଣ ପାଇଁ ବିଜେପି ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ୩୦୪ ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୩୨୯ କୋଟି ଟଙ୍କା ର ୨୬୮ ଟି ପ୍ରକଳ୍ପ ର ଲୋକାର୍ପଣ ଓ ୨୫୨ କୋଟି ଟଙ୍କା ର ୩୬ ଟି ପ୍ରକଳ୍ପ ର ଶିଳାନ୍ୟାସ କରଯାଇଛି । ଏଥିରେ ଭୀମଭୋଇ ମେଡିକାଲ କଲେଜରେ ଏକ ନୂତନ ନର୍ସିଂ କଲେଜ ପାଇ ମଧ୍ୟ ଶିଳାନ୍ୟାସ ରହିଛି । ଏଥି ସହିତ ଅନ୍ତୋଦୟ ଗୃହ ଯୋଜନାରେ ୫୦,୦୦୦ ରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ପ୍ରଥମ କିସ୍ତି ରାଶି ପ୍ରଦାନର ଶୁଭାରମ୍ଭ କରିଥିଲେ । ପଞ୍ଚାୟତିରାଜ ସମୀକ୍ଷା ପୋର୍ଟାଲ୍ ଓ e- ପଞ୍ଚାୟତ ସଭା ପୋର୍ଟାଲ କୁ ମଧ୍ୟ ଉନ୍ମୋଚନ କରିଥିଲେ । ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ପଞ୍ଚାୟତ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହୋଇଥିବା ସହ ଓଡିଶାର ଅନେକ ପଞ୍ଚାୟତ ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛି ବୋଲି ସେ କହିଥିଲେ।

Leave A Reply

Your email address will not be published.