Latest Odisha News

BREAKING NEWS

ଦୀପିକାଙ୍କ ୧୦୦୦ କୋଟିର ସଫଳତା

ମୁମ୍ବାଇ: ବଲିଉଡର ପାୱାର କପଲ୍ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଏବେ ଚର୍ଚ୍ଚାରେ। ଗୋଟିଏ ପଟେ ଅଭିନେତା ରଣବୀର ସିଂ ନିଜ ଫିଲ୍ମ ‘ଧୁରନ୍ଧର’ର ସଫଳତା ପାଇଁ ସେଲିବ୍ରେସନ କରୁଥିବା ବେଳେ, ଅନ୍ୟପଟେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ବହୁ ଆଗରୁ ବକ୍ସ ଅଫିସରେ ନିଜର ଏକଛତ୍ରବାଦ ପ୍ରତିଷ୍ଠା କରିସାରିଛନ୍ତି। ମାତ୍ର ୩ଟି ବ୍ଲକବଷ୍ଟର ଫିଲ୍ମ ଜରିଆରେ ଦୀପିକା ସାଜିଛନ୍ତି ଭାରତୀୟ ସିନେମାର ସବୁଠାରୁ ସଫଳ ଅଭିନେତ୍ରୀ। ଆସନ୍ତୁ ଦେଖିବା ଏହି ସ୍ପେଶାଲ ରିପୋର୍ଟ।

ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ ଏବେ ଗ୍ଲୋବାଲ ଆଇକନ୍। କେବଳ ଭାରତ ନୁହେଁ, ବରଂ ବିଶ୍ୱ ଦରବାରରେ ନିଜର ଷ୍ଟାରଡମ୍ ଜାହିର କରିଛନ୍ତି ଏହି ସୁନ୍ଦରୀ। ଦୀପିକାଙ୍କ ନାମରେ ଏମିତି ୩ଟି ଫିଲ୍ମ ରହିଛି ଯାହା ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରି ଇତିହାସ ରଚିଛି।

୨୦୨୩ର ମେଗା ହିଟ୍ ‘ପଠାନ’ । ଶାହରୁଖ ଖାନଙ୍କ ସହ ଏହି ସ୍ପାଏ-ଆକ୍ସନ ଥ୍ରୀଲରରେ ଦୀପିକାଙ୍କ ‘ରୁବିନା ମୋହସିନ୍’ ଅବତାର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଆଇଏସଆଇ ଏଜେଣ୍ଟ ଭାବେ ତାଙ୍କର ହାଇ-ଭୋଲଟେଜ ଆକ୍ସନ ଏବଂ ଗ୍ଲାମରସ ଲୁକ୍ ଫିଲ୍ମକୁ ବିଶ୍ୱ ବଜାରରେ ୧୦୫୦ କୋଟି ଟଙ୍କାର ବ୍ୟବସାୟ କରାଇବାରେ ସହାୟକ ହୋଇଥିଲା।

କେବଳ ‘ପଠାନ’ ନୁହେଁ, ସେହି ବର୍ଷ ରିଲିଜ୍ ହୋଇଥିବା ‘ଜୱାନ’ରେ ମଧ୍ୟ ଦୀପିକା ନିଜର ଜାଦୁ ଦେଖାଇଥିଲେ। ଯଦିଓ ଏହି ଫିଲ୍ମରେ ତାଙ୍କର ଭୂମିକା ଛୋଟ ଥିଲା, କିନ୍ତୁ ଐଶ୍ୱର୍ଯ୍ୟା ରାଠୋରଙ୍କ ଭୂମିକାରେ ସେ ସମସ୍ତଙ୍କ ମନ ଜିଣିଥିଲେ। ଏହି ଫିଲ୍ମ ବିଶ୍ୱବ୍ୟାପୀ ୧୧୫୦ କୋଟିରୁ ଅଧିକ ରୋଜଗାର କରି ଦୀପିକାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା।

ତେବେ ଦୀପିକାଙ୍କ ସଫଳତା କେବଳ ବଲିଉଡରେ ସୀମିତ ନାହିଁ। ୨୦୧୭ରେ ହଲିଉଡ୍ ଫିଲ୍ମ ‘xXx: Return of Xander Cage’ ଜରିଆରେ ସେ ଆନ୍ତର୍ଜାତୀୟ ସ୍ତରରେ ନିଜର ଦମଦାର ଏଣ୍ଟ୍ରି କରିଥିଲେ। ଭିନ୍ ଡିଜେଲଙ୍କ ସହ ସେରେନା ଅଙ୍ଗର ଭୂମିକାରେ ଦୀପିକାଙ୍କୁ ଦେଖିବାକୁ ମିଳିଥିଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଫିଲ୍ମଟି ପ୍ରାୟ ୨୮୦୦ କୋଟି ଟଙ୍କାର ଆକାଶଛୁଆଁ ବ୍ୟବସାୟ କରିଥିଲା।

ଏହି ତିନୋଟି ବଡ଼ ଫିଲ୍ମର ସଫଳତା ପ୍ରମାଣ କରୁଛି ଯେ, ଦୀପିକା ପାଦୁକୋନ କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ବରଂ ବକ୍ସ ଅଫିସର ଏକ ବିରାଟ ବ୍ରାଣ୍ଡ। ରଣବୀର ସିଂ ନିଜ ସଫଳତାକୁ ନେଇ ଉତ୍ସାହିତ ଥିବା ବେଳେ ଦୀପିକା କିନ୍ତୁ ବହୁ ଆଗରୁ ବଲିଉଡର ‘କ୍ୱିନ୍’ ସାଜି ସାରିଛନ୍ତି।

Leave A Reply

Your email address will not be published.