Latest Odisha News

BREAKING NEWS

ଏକାଠି ରହୁଥିଲେ, ଏକାଠି ଖାଉଥିଲେ.. ହେଲେ ମାଂସ ରୋଷେଇ ନହେବାରୁ ସ୍ୱାମୀର ମୁଣ୍ଡ ଗଡ଼ାଇଦେଲା ପତ୍ନୀ!

ହାଇଦ୍ରାବାଦ: ଗୋଟିଏ ଛୋଟିଆ କଥା, ଏକ ସାଧାରଣ ଯୁକ୍ତିତର୍କ କିଭଳି ଏକ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇପାରେ, ତାର ଏକ ଜ୍ୱଳନ୍ତ ତଥା ହୃଦୟବିଦାରକ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ଘରେ ଆମିଷ ବା ମାଂସ ତରକାରୀ ରୋଷେଇ ନହେବା କାରଣରୁ ସ୍ୱାମୀ ତାଗିଦ୍ କରିବାରୁ, ଉତକ୍ଷିପ୍ତ ହୋଇ ପତ୍ନୀ ନିଜ ସ୍ୱାମୀଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଛାତିଥରା ଘଟଣା ସମଗ୍ର କାମାରେଡ୍ଡୀ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାମାରେଡ୍ଡୀ ଜିଲ୍ଲାର ଏକ ଭଡ଼ା ଘରେ କୋଡାଣ୍ଡା ଶିବାଜୀ (Kodanda Shivaji) ନିଜ ପତ୍ନୀ ଲକ୍ଷ୍ମୀ ଏବଂ ଦୁଇଟି ଛୋଟ ଝିଅଙ୍କ ସହ ରହୁଥିଲେ। ଗତ ଏପ୍ରିଲ ୨ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସେହି ରାତିରେ ଘରେ ମାଂସ ରୋଷେଇ କାହିଁକି ହୋଇନାହିଁ ବୋଲି ଶିବାଜୀ ପତ୍ନୀ ଲକ୍ଷ୍ମୀଙ୍କୁ ପଚାରିଥିଲେ। ଏହି ସାଧାରଣ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ଏହା ଉଗ୍ର ରୂପ ଧାରଣ କରିଥିଲା।

ପାଟିତୁଣ୍ଡ ଚାଲିଥିବା ବେଳେ ରାଗରେ ହିତାହିତ ଜ୍ଞାନ ଭୁଲିଯାଇଥିଲା ଲକ୍ଷ୍ମୀ। ସେ ଘରେ ଥିବା ଏକ ଧାରୁଆ କଟୁରୀ ଆଣି ହଠାତ୍ ସ୍ୱାମୀ ଶିବାଜୀଙ୍କ ବେକ ଉପରେ ଶକ୍ତ ଚୋଟ ପକାଇଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଶିବାଜୀ ତଳେ ପଡ଼ିଯାଇଥିଲେ ଏବଂ ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୋଲିସ ଇନ୍ସପେକ୍ଟର ନରହରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଶୁଣି ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶିବାଜୀଙ୍କର ପ୍ରାଣବାୟୁ ଉଡ଼ିସାରିଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପତ୍ନୀ ଲକ୍ଷ୍ମୀକୁ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

ପଡ଼ୋଶୀଙ୍କ କହିବା ଅନୁଯାୟୀ, ଶିବାଜୀ ଏବଂ ଲକ୍ଷ୍ମୀଙ୍କ ପରିବାର ଗତ କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଘର ଖର୍ଚ୍ଚ, ବିଲ୍ ଏବଂ ଖାଦ୍ୟପେୟକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ କଳିଝଗଡ଼ା ଲାଗି ରହୁଥିଲା।

ଏହି ହତ୍ୟାକାଣ୍ଡ କେବଳ କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ ଘଟିଛି ନା ଏହା ପଛରେ ପୂର୍ବରୁ କୌଣସି ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା, ସେ ଦିଗରେ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଖାଇବାକୁ କେନ୍ଦ୍ର କରି ଏଭଳି ଏକ ଅମାନବୀୟ କାଣ୍ଡ ଘଟାଇଥିବା ପତ୍ନୀକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.