Latest Odisha News

BREAKING NEWS

ସେବାୟତଙ୍କ ବିବାଦ; ଚାପ ନଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ: ସେବାୟତଙ୍କ ବିବାଦ। ନିଜ ଜିଦ୍‌ ପାଇଁ ମହାପ୍ରଭୁଙ୍କ ଚାପ ବି ଅଟକାଇ ଦେଲେ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ। ଫଳରେ ବନ୍ଦ ରହିଲା ମହାପ୍ରଭୁଙ୍କ ଚାପଖେଳ। ସୁଦୁ ସୁଆର ଓ ସିଂହାରୀଙ୍କ ମଧ୍ୟରେ ବିବାଦ ଯୋଗୁ ଚାପ ଖେଳ ବନ୍ଦ ରହିଲା। ଡଙ୍ଗାରେ ଚଢିବାକୁ ନେଇ ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହେଲା। ମହାପ୍ରଭୁଙ୍କ କଥା ବି ଭାବିଲେନି ସେବାୟତ। ବିଳମ୍ବିତ ରାତି ଯାଏ ସମାଧାନ ପ୍ରୟାସ କରି ଜିଲ୍ଲାପାଳ ବିଫଳ ହେଲେ।

ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ। ଶ୍ରଦ୍ଧାଳୁ ନିରାଶ। ସିଂହାରୀ ଓ ସୁଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ବନ୍ଦ ରହିଛି ମହାପ୍ରଭୁଙ୍କ ଚାପ ଖେଳ। ଚାପରେ କେତେ ସଂଖ୍ୟକ ସେବକ ରହିବେ, ତାକୁ ନେଇ ହୋଇଥିଲା ବିବାଦ।

ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର। ଗତକାଲି କାଳବୈଶାଖୀ ଯୋଗୁଁ ଦିନ ଚାପ ମଧ୍ୟ ବନ୍ଦ ରହିଥିଲା। ତେବେ ରାତ୍ରୀ ଚାପ ପାଇଁ ରାତି ୯ ଟାରୁ ପ୍ରସ୍ତୁତି ସାରିଥିଲେ ହେଁ ରାତି ୧୨ଟା ୩୦ ଯାଏଁ ବିବାଦ ତୁଟି ନଥିଲା। ପରେ ପବନ ବେଗ ଓ ବର୍ଷାକୁ ନଜରରେ ରଖି ଚାପ ନଖେଳି ଶ୍ରୀମନ୍ଦିର ବାହୁଡ଼ା ବିଜେ କରିଥିଲେ ଦିଅଁ। ଭକ୍ତମାନେ ମଧ୍ୟ ନିରାଶ ହୋଇ ଫେରିଗଲେ।

ରେକର୍ଡ ଅଫ ରାଇଟ୍‌ରେ କେଉଁ ଡଙ୍ଗାରେ କେତେ ସେବକ ରହିବେ ସେ ସମ୍ପର୍କରେ ଉଲ୍ଲେଖ ଥିଲେ ହେଁ କେହି ଏହାକୁ ମାନୁନାହାନ୍ତି। ତେବେ ନିଜ ଜିଦ୍‌ ଯୋଗୁଁ ମହାପ୍ରଭୁଙ୍କ ନୀତି ଅଟକାଇ ଦେଇଥିବାରୁ ଜିଲ୍ଲାପାଳ ଉଭୟ ଗୋଷ୍ଠୀଙ୍କୁ ନେଇ ଆଜି ବୈଠକ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସୋମବାର ନୀତି ବିଳମ୍ବ ଯୋଗୁଁ ବଡ଼ସିଂହାର ବେଶ ହେବା ବେଳକୁ ଭୋର୍‌ ୪ଟା ୩୦ ହୋଇ ସାରିଥିଲା। ତେଣୁ ପହୁଡ଼ ହୋଇ ପାରିନଥିଲା। ଏବେ ପୁଣି ଠାକୁର ଚାପ ନ ଖେଳି ଲେଉଟିଛନ୍ତି।

Leave A Reply

Your email address will not be published.