କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ହାଇ-ଭୋଲଟେଜ୍ ଡ୍ରାମା। ଇଭିଏମ୍ ମେସିନ୍ ହେରଫେର ହେଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। କେବଳ ଅଭିଯୋଗ ନୁହେଁ, ବରଂ ନିଜେ ସିଧାସଳଖ ଯାଇ କୋଲକାତାର ଏକ ଷ୍ଟ୍ରଙ୍ଗରୁମରେ ପାଖାପାଖି ୩ ଘଣ୍ଟା କାଳ ଡେରା ପକାଇଛନ୍ତି। ଷ୍ଟ୍ରଙ୍ଗରୁମରୁ ବାହାରିବା ପରେ ସେ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ତାହା ଏବେ ସାରା ଦେଶର ରାଜନୈତିକ ମହଲରେ ଚହଳ ସୃଷ୍ଟି କରିଛି।
ଶୁକ୍ରବାର ଦିନ ମମତା ବାନାର୍ଜୀ ଦକ୍ଷିଣ କୋଲକାତାର ସାଖାୱତ୍ ମେମୋରିଆଲ୍ ସ୍କୁଲରେ ପହଞ୍ଚିଥିଲେ। ଏହି ସ୍କୁଲଟି ହେଉଛି ଭବାନୀପୁର ବିଧାନସଭା କ୍ଷେତ୍ରର ଷ୍ଟ୍ରଙ୍ଗରୁମ୍ ତଥା ରିସେପ୍ସନ୍ ସେଣ୍ଟର, ଯେଉଁଠାରେ ସମସ୍ତ ଇଭିଏମ୍ ଏବଂ ବାଲଟ୍ ବକ୍ସ ସୁରକ୍ଷିତ ଭାବେ ରଖାଯାଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଟିଏମସି ପକ୍ଷରୁ ଇଭିଏମ୍ ଟ୍ୟାମ୍ପରିଂ ନେଇ ଲଗାତାର ଅଭିଯୋଗ କରାଯାଉଥିଲା। ଏପରିକି ଷ୍ଟ୍ରଙ୍ଗରୁମ୍ ବାହାରେ କିଛି ଅସ୍ୱାଭାବିକ ଗତିବିଧି ହେଉଥିବାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ଏହି ସିସିଟିଭି ଫୁଟେଜ୍ ଦେଖିବା ପରେ ମମତା ନିଜେ ଯାଇ ସ୍ଥିତି ପରଖିବାକୁ ନିଷ୍ପତ୍ତି ନେଇଥିଲେ।
ଷ୍ଟ୍ରଙ୍ଗରୁମ୍ ଭିତରେ ଦୀର୍ଘ ୩ ଘଣ୍ଟା ବିତାଇବା ପରେ ମମତା ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “ଯଦି କେହି ଇଭିଏମ୍ ମେସିନ୍ ଚୋରି କରିବାକୁ କିମ୍ବା ଭୋଟ୍ ଗଣତିରେ ହେରଫେର କରିବାକୁ ଚେଷ୍ଟା କରେ, ତେବେ ଆମେ ଏହା ବିରୋଧରେ ଏକ ଜୀବନ-ମରଣର ଲଢ଼େଇ ଲଢ଼ିବୁ। ଜୀବନ ଥିବା ପର୍ଯ୍ୟନ୍ତ ମୁଁ ଏହି ଲଢ଼େଇ ଜାରି ରଖିବି।”
ମମତା ଅଭିଯୋଗ କରିଛନ୍ତି ଯେ, ଷ୍ଟ୍ରଙ୍ଗରୁମ୍ ନିକଟରେ ଅନେକ ସ୍ଥାନରେ ମେସିନ୍ ସହ ଖେଳାଯାଉଥିବାର ପ୍ରମାଣ ମିଳିଛି। ଯେତେବେଳେ ସେ ଟିଭିରେ ଏହା ଦେଖିଲେ, ତୁରନ୍ତ ଘଟଣାସ୍ଥଳକୁ ଆସିଥିଲେ। ପ୍ରଥମେ ସେଠାରେ ମୁତୟନ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ। ମାତ୍ର ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ଭାବରେ ନିଜର ଅଧିକାର ସାବ୍ୟସ୍ତ କରି ସେ ଭିତରକୁ ପ୍ରବେଶ କରିଥିଲେ। ଏଥିସହ ତାଙ୍କ ପାର୍ଟିର ଏଜେଣ୍ଟଙ୍କୁ ଗିରଫ କରାଯାଇ ନିର୍ବାଚନ ପ୍ରକ୍ରିୟାରେ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ମମତା ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣା ପରେ ତୃଣମୂଳ କଂଗ୍ରେସ ମଧ୍ୟ ନିର୍ବାଚନ ଆୟୋଗ ଏବଂ ବିଜେପି ଉପରେ ବର୍ଷିଛି। ଦଳ ପକ୍ଷରୁ ‘ଏକ୍ସ’ରେ କୁହାଯାଇଛି ଯେ, ବିଜେପି ନିଜର ପରାଜୟ ଭୟରେ ଅନ୍ୟ ରାଜ୍ୟରୁ ଗୁଣ୍ଡାମାନଙ୍କୁ ଆଣି ନେତାଜୀ ଇନଡୋର୍ ଷ୍ଟାଡିୟମ୍ ବାହାରେ ଭିଡ଼ ଜମାଉଛି ଏବଂ ଏକ ମିଡିଆ ଡ୍ରାମା ରଚୁଛି।
ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, “ଆମକୁ ଭିଡ଼ ଜମାଇବାର କୌଣସି ଆବଶ୍ୟକତା ନାହିଁ। ମମତାଙ୍କ ଗୋଟିଏ ଡାକରାରେ ମାତ୍ର କିଛି ମିନିଟ୍ ଭିତରେ ୧୦ ହଜାର ଲୋକ ସେଠାରେ ପହଞ୍ଚିଯିବେ। ଆମେ ଆଇନକୁ ସମ୍ମାନ ଦେଇ ଶାନ୍ତି ବଜାୟ ରଖିଛୁ। ଯଦି ଗୋଟିଏ ବି ଇଭିଏମ୍ ଛୁଇଁବାକୁ ଚେଷ୍ଟା କରାଯାଏ, ତେବେ ଏହାର ପରିଣାମ ଭୟଙ୍କର ହେବ।” ଏହା ବ୍ୟତୀତ ବିଜେପି ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗିବା ପାଇଁ ମିଡିଆ ମାଧ୍ୟମରେ ମିଛ ଏକଜିଟ୍ ପୋଲ୍ ଫିଗର୍ ଟେଲିକାଷ୍ଟ କରି ‘ମାଇଣ୍ଡ୍ ଗେମ୍’ ଖେଳୁଛି ବୋଲି ଟିଏମସି ଅଭିଯୋଗ କରିଛି।
ମେ ଚାରିରେ ଭୋଟ୍ ଗଣତି ପୂର୍ବରୁ ବେଙ୍ଗଲରେ ସୃଷ୍ଟି ହୋଇଥିବା ଏହି ଅସ୍ୱାଭାବିକ ପରିସ୍ଥିତି ଏବଂ ମମତାଙ୍କ ଷ୍ଟ୍ରଙ୍ଗରୁମ୍ ଭିତରେ ଡେରା ପକାଇବା ରାଜନୈତିକ ମାହୋଲକୁ ସରଗରମ କରିଛି।