ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ଦେଖିବାକୁ ମିଳିଛି। ପାଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ଆଜି ମଧ୍ୟ ସାରା ରାଜ୍ୟରେ କାଳବୈଶାଖୀର ସମ୍ଭାବନା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପାଇଁ ରାଜ୍ୟର ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଅନ୍ୟ ୨୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରରେ ଗତକାଲି ସନ୍ଧ୍ୟାରୁ ହିଁ ପାଗ ମେଘୁଆ ରହିବା ସହ ବର୍ଷା ଲାଗିରହିଛି। ଆଜି ସକାଳେ ମଧ୍ୟ ଏହି ଦୁଇ ସହରରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଏହାରି ଭିତରେ ଆଗାମୀ ୩ ଘଣ୍ଟା ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ପାଣିପାଗ ବିଭାଗର ତାଜା ଆକଳନ ଅନୁଯାୟୀ, ଆସନ୍ତା ୩ ଘଣ୍ଟା ମଧ୍ୟରେ ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀ ହେବାର ପ୍ରବଳ ଆଶଙ୍କା ରହିଛି। ଏହି ସମୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଅନୁମାନ କରାଯାଇଛି।
ପ୍ରବଳ ବେଗରେ ପବନ ଓ ବର୍ଷା ଯୋଗୁଁ କୃଷି କ୍ଷେତ୍ରରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କାଳବୈଶାଖୀ ଯୋଗୁଁ କିଛି ସ୍ଥାନରେ ଫସଲ ନଷ୍ଟ ହେବାର ସମ୍ଭାବନା ଥିବାରୁ, ଚାଷମାନଙ୍କୁ ଆଗୁଆ ସତର୍କ କରାଇ ଦିଆଯାଇଛି।
ଅନ୍ୟପକ୍ଷରେ ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷାର ବିପଦ ରହିଛି। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱର ଆଦି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭାବେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହୋଇପାରେ। ତେଣୁ ବିପଦକୁ ଏଡ଼ାଇବା ପାଇଁ ବଜ୍ରପାତ ସମୟରେ ଖୋଲା ସ୍ଥାନରେ କିମ୍ବା ଗଛ ମୂଳେ ନରହି, ତୁରନ୍ତ କୌଣସି ପକ୍କା ଘର କିମ୍ବା ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।