Latest Odisha News

BREAKING NEWS

ମାଟ୍ରିକ୍ ପିଲାଙ୍କ ପାଇଁ ବଡ଼ ଖବର: ଇତିହାସ ରଚିବାକୁ ଯାଉଛି ବୋର୍ଡ, ଏଣିକି ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

କଟକ: ମାତୃଭାଷା ଓଡ଼ିଆକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଏକ ବଡ଼ ତଥା ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏଣିକି ବୋର୍ଡ ଦ୍ୱାରା ପ୍ରଦାନ କରାଯାଉଥିବା ସାର୍ଟିଫିକେଟ୍ ବା ପ୍ରମାଣପତ୍ର କେବଳ ଇଂରାଜୀରେ ନୁହେଁ, ବରଂ ନିଜ ମାତୃଭାଷା ଓଡ଼ିଆରେ ମଧ୍ୟ ପ୍ରକାଶ ପାଇବ।

ଏହି ଯୁଗାନ୍ତକାରୀ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବିଏସଇ (BSE) ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ବୋର୍ଡ ପକ୍ଷରୁ ବାର୍ଷିକ ପରୀକ୍ଷାର ସମସ୍ତ ସାର୍ଟିଫିକେଟ୍ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ପରିବର୍ତ୍ତନ ଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବା ସହିତ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବେଶ୍ ଉପକୃତ ହୋଇପାରିବେ।

ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ମେ’ ୨ ତାରିଖରେ ୨୦୨୬ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (AHSC) ବା ମାଟ୍ରିକ୍ ପରୀକ୍ଷା ଫଳାଫଳ ଘୋଷଣା କରାଯିବ। କେବଳ ରେଗୁଲାର୍ ମାଟ୍ରିକ୍ ନୁହେଁ, ବରଂ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (SOSC) ଏବଂ ମଧ୍ୟମା ପରୀକ୍ଷାର ଫଳାଫଳ ମଧ୍ୟ ସେହି ଏକା ଦିନରେ ପ୍ରକାଶ ପାଇବ।

ମେ’ ୨ ତାରିଖ ଅପରାହ୍ନ ୪ଟା ବେଳେ ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କରାଯିବ। ଏହାପରେ ସନ୍ଧ୍ୟା ୬ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.in ମାଧ୍ୟମରେ ନିଜ ନିଜର ମାର୍କସିଟ୍ ଦେଖିପାରିବେ।

ସେହିପରି ଇଣ୍ଟରନେଟ୍ ସୁବିଧା ନଥିବା ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ପାଇଁ ବୋର୍ଡ ପକ୍ଷରୁ ଏସଏମଏସ୍ (SMS) ମାଧ୍ୟମରେ ରେଜଲ୍ଟ ଜାଣିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ମୋବାଇଲର ମେସେଜ୍ ବକ୍ସକୁ ଯାଇ OR10 ଟାଇପ୍ କରିବା ପରେ ନିଜର ରୋଲ୍ ନମ୍ବର (RollNo) ଦେଇ 5676750 ନମ୍ବରକୁ ପଠାଇବାକୁ ହେବ।

Comments are closed.