ମୁମ୍ବାଇ: ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏବେ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି । ରିପୋର୍ଟ ମୁତାବକ ଚଳିତ ଆଇପିଏଲ ଶେଷ ହେବା ପରେ ମୁମ୍ବାଇ ଟିମରୁ ୩ ଜଣ ଖେଳାଳି ରିଲିଜ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ସେମାନେ ହେଲେ ଟ୍ରେଂଟ ବୋଲ୍ଟ, ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁର । ବୋଲ୍ଟ ଏବେ ମୁମ୍ବାଇ ପକ୍ଷରୁ ୧୨.୫୦ କୋଟି ସ୍ୟାଲେରୀରେ ଖେଳୁଛନ୍ତି । ସେ ୫ଟି ମ୍ୟାଚ ଖେଳି ମାତ୍ର ୨ଟି ୱିକେଟ ଅକ୍ତିଆର କରିଛନ୍ତି । ବୋଲିଂରେ ସେ ବ୍ୟୟବହୂଳ ମଧ୍ୟ ସାବ୍ୟସ୍ତ ହୋଇଛନ୍ତି । ଦୀପକଙ୍କୁ ମୁମ୍ବାଇ ବଡ ଆଶାରେ ୯.୨୫ କୋଟି ଟଙ୍କାରେ ରିଟେନ କରିଥିଲା ।
ସେ ଏ ପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୩ଟି ମ୍ୟାଚ ଖେଳି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ତାଙ୍କ ଇକୋନୋମୀ ରେଟ ୧୩.୩୮ ରହିଛି । ସେହିପରି ଶାର୍ଦ୍ଦୁଳଙ୍କୁ ମୁମ୍ବାଇ ଟ୍ରେଡ ଜରିଆରେ ଦଳରେ ସାମିଲ କରିଥିଲା । ସେ ୭ଟି ମ୍ୟାଚ ଖେଳି ୬ଟି ୱିକେଟ ନେଇଛନ୍ତି । ୨ଟି ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇଥିଲେ ମଧ୍ୟ ୧୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱ ଦକ୍ଷତା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଫର୍ମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି ।