ଚେନ୍ନାଇ: ଆଇପିଏଲ ୨୦୨୬ରେ ମହେନ୍ଦ୍ର ସିଂ ଧୋନୀଙ୍କ ଖେଳିବା ନେଇ ରହସ୍ୟ ଲାଗି ରହିଛି । ଯଦି ସେ ଫିଟ ନାହାନ୍ତି ତେବେ ଏହାକୁ ଦଳ ପକ୍ଷରୁ କାହିଁକି ଘୋଷଣା କରାଯାଉ ନାହିଁ ବୋଲି ପ୍ରଶଂସକଙ୍କ ପକ୍ଷରୁ କୁହାଯାଇଛି । ଇତି ମଧ୍ୟରେ ଧୋନୀଙ୍କୁ ନେଇ ଦଳର ବୋଲିଂ କୋଚଙ୍କ ବୟାନ ବେଶ ଚର୍ଚ୍ଚା ସାଉଁଟିଛି । ଏରିକ ସିମନ୍ସଙ୍କୁ ଯେତେବେଳେ ଧୋନୀଙ୍କ ଫିଟନେସ ନେଇ ପ୍ରଶ୍ନ କରାଗଲା ସେ କହିଥିଲେ, ଏହାର ଉତର ଦେବା ମୋ କ୍ଷମତା ବାହାରେ । ସେ ଏବେ ଆମ ସହିତ ଏଠାରେ ନାହାନ୍ତି ।
ସେ ସମ୍ପୂର୍ଣ୍ଣ ଭାବେ ଫିଟ ହେଲେ ନିଶ୍ଚିତ ଭାବେ ଖେଳିବେ ବୋଲି ଏରିକ କହିଛନ୍ତି । ଚେନ୍ନାଇ ତାର ପରବର୍ତୀ ମ୍ୟାଚ ମେ ୫ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ । ଏହି ମ୍ୟାଚ ଦିଲ୍ଲୀରେ ଖେଳାଯିବ । ଧୋନୀ ତାଙ୍କ ଟିମ ସହିତ ଦିଲ୍ଲୀ ଯାଇ ନାହାନ୍ତି । ଏଥିଯୋଗୁ ସେ ଚଳିତ ସଂସ୍କରଣରେ କ୍ରମାଗତ ୧୦ମ ମ୍ୟାଚ ଖେଳିବେ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ଚେନ୍ନାଇ ୯ ମ୍ୟାଚରେ ୮ ପଂଏଟ ହାସଲ କରିଛି । ବାକିଥିବା ୫ଟି ମ୍ୟାଚରୁ ସହଜରେ ପ୍ଲେ ଅଫ ପ୍ରବେଶ ପାଇଁ ଚେନ୍ନାଇକୁ ୪ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ ।