ବେଙ୍ଗଲରେ ଶୁଭେନ୍ଦୁ ଓ ଦିଲୀପଙ୍କ ସହ ରେସରେ ଏହି ‘ଫାୟାରବ୍ରାଣ୍ଡ’ ମହିଳା: ମମତାଙ୍କୁ ମାତ୍ ଦେବା ପରେ ବିଜେପି ଖେଳିବ କି ମହିଳା କାର୍ଡ?
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ରେ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ଏକ ବିଶାଳ ବିଜୟ ହାସଲ କରିଛି। ମମତା ବାନାର୍ଜୀଙ୍କ ଅଭେଦ୍ୟ ଗଡ଼ରେ ବିଜେପିର ଏହି ଐତିହାସିକ ପ୍ରଦର୍ଶନ ପରେ ସାରା ରାଜ୍ୟରେ ଏବେ ଗୋଟିଏ ହିଁ ପ୍ରଶ୍ନ ଘୂରି ବୁଲୁଛି ‘ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ?’ ଆସାମ କିମ୍ବା ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମଧ୍ୟ ନିର୍ବାଚନ ପୂର୍ବରୁ ବିଜେପି କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା। ତେଣୁ ଏବେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବା ସହିତ ଦଳ ଭିତରେ ଥିବା ଟାଣୁଆ ନେତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ରେସରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ, ବରିଷ୍ଠ ନେତା ଦିଲୀପ ଘୋଷଙ୍କ ସମେତ ‘ଫାୟାରବ୍ରାଣ୍ଡ’ ମହିଳା ନେତ୍ରୀ ଅଗ୍ନିମିତ୍ରା ପଲ୍ଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି।
ବିଜେପିର ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ୨୦୨୧ରେ ନନ୍ଦୀଗ୍ରାମରେ ଏବଂ ବର୍ତ୍ତମାନ ଭବାନୀପୁରରେ ଖୋଦ୍ ମମତା ବାନାର୍ଜୀଙ୍କୁ ହରାଇ ସେ ନିଜକୁ ବିଜେପିର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ପ୍ରମାଣିତ କରିଛନ୍ତି। ସେହିପରି ଦଳର ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷ ମଧ୍ୟ ସଂଗଠନ ଏବଂ ତୃଣମୂଳ ସ୍ତରର କର୍ମୀଙ୍କ ସମର୍ଥନରେ ଏହି ରେସରେ ବେଶ୍ ମଜବୁତ ସ୍ଥିତିରେ ଅଛନ୍ତି।
ବିଜେପି କେନ୍ଦ୍ରୀୟ ନେତୃତ୍ୱ ସର୍ବଦା ନିଜର ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପାଇଁ ଜଣାଶୁଣା। ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ଓଡ଼ିଶାରେ ମୋହନ ମାଝୀଙ୍କ ଭଳି ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ସମସ୍ତଙ୍କୁ ଚମକାଇବା ଭଳି ନିଷ୍ପତ୍ତି ନେଇପାରେ। ମମତା ବାନାର୍ଜୀଙ୍କ ଭଳି ଜଣେ ଶକ୍ତିଶାଳୀ ମହିଳା ନେତ୍ରୀଙ୍କୁ ମାତ୍ ଦେବା ପରେ, ବିଜେପି ପଶ୍ଚିମବଙ୍ଗରେ ମହିଳା ସଶକ୍ତୀକରଣର ବାର୍ତ୍ତା ଦେବା ପାଇଁ ‘ମହିଳା କାର୍ଡ’ ଖେଳିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ଆଉ ଏହି ଦୃଷ୍ଟିକୋଣରୁ ଅଗ୍ନିମିତ୍ରା ପଲ୍ ଏକ ବଡ଼ ଦାବିଦାର ଭାବେ ଉଭା ହୋଇଛନ୍ତି।
ଜଣେ ଜଣାଶୁଣା ଫ୍ୟାସନ ଡିଜାଇନର୍ରୁ ସଫଳ ରାଜନେତ୍ରୀ ପାଲଟିଥିବା ଅଗ୍ନିମିତ୍ରା ପଲ୍ ବର୍ତ୍ତମାନ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି। ୨୦୨୧ ରେ ଆସାନସୋଲ ଦକ୍ଷିଣ ଆସନରୁ ସେ ପ୍ରଥମ ଥର ବିଧାୟକ ହୋଇଥିଲେ। ଏଥର ୨୦୨୬ ନିର୍ବାଚନରେ ମଧ୍ୟ ସେ ଟିଏମ୍ସିର ତାପସ ବାନାର୍ଜୀଙ୍କୁ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ବଡ଼ ବିଜୟ ହାସଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ସନ୍ଦେଶଖାଲି ଭଳି ମହିଳା ନିର୍ଯାତନା ପ୍ରସଙ୍ଗ ହେଉ କିମ୍ବା ଟିଏମ୍ସି ସରକାରଙ୍କ ଦୁର୍ନୀତି, ପ୍ରତିଟି ପ୍ରସଙ୍ଗରେ ଅଗ୍ନିମିତ୍ରା ଜଣେ ‘ଫାୟାରବ୍ରାଣ୍ଡ’ ନେତ୍ରୀ ଭାବେ ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ମମତା ସରକାରଙ୍କୁ ତୀବ୍ର ସମାଲୋଚନା କରିଆସିଛନ୍ତି।
ନିର୍ବାଚନ ସମୟରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲେ ସୁଦ୍ଧା ସେ ପଛକୁ ହଟିନଥିଲେ। ବଙ୍ଗାଳୀ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାରେ ତାଙ୍କର କୌଶଳ ବିଜେପି ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଛି। ଯଦି ବିଜେପି ଏକ ନୂଆ ଚେହେରାକୁ ଆଗକୁ ଆଣିବାକୁ ଚାହେଁ, ତେବେ ମମତାଙ୍କ ବିକଳ୍ପ ଭାବେ ଅଗ୍ନିମିତ୍ରା ପଲ୍ ଏକ ଶକ୍ତିଶାଳୀ ପସନ୍ଦ ହୋଇପାରନ୍ତି।
ତେବେ ବିଜେପି ସଂସଦୀୟ ବୋର୍ଡ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ହିଁ ସମସ୍ତ ନିଷ୍ପତ୍ତି ନିର୍ଭର କରୁଛି। ଶୁଭେନ୍ଦୁଙ୍କ ଅଭିଜ୍ଞତା ବାଜି ମାରିବ ନା ଅଗ୍ନିମିତ୍ରାଙ୍କ ନୂଆ ଚେହେରା ବେଙ୍ଗଲ ରାଜନୀତିରେ ନୂତନ ଅଧ୍ୟାୟ ଲେଖିବ, ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।