ଅନୁଗୁଳ: ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଦୁର୍ଘଟଣା। ଅନୁଗୁଳ ଶ୍ରୀମେଟାଲିକ କାରଖାନାରେ ଘଟିଛି ଅଘଟଣ। ମେଣ୍ଟେନାନ୍ସ ବେଳେ ଦୁର୍ଘଟଣା ଘଟି ୩ ଶ୍ରମିକଙ୍କ ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ତିନିଜଣ ହେଲେ ସୁନ୍ଦରଗଡ଼ ସଦର ଥାନା ତିନିକୁଡ଼ା ଗ୍ରାମର ୩୭ବର୍ଷୀୟ ଶ୍ରୀଧର ବେଗୁନ ଓ ୩୭ବର୍ଷୀୟ ମଣ୍ଟୁ କମାର, ଅନ୍ୟ ଜଣେ ରାଜଗାଙ୍ଗପୁର ସୁନାଖଣି ଗ୍ରାମର ୪୦ବର୍ଷୀୟ ମଙ୍ଗଳ ମାଝୀ ।
ଗତକାଲି ଏହି ଶ୍ରମିକମାନେ ମେଣ୍ଟେନାନ୍ସ କରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ। ମେସିନ କ୍ଲିନ୍ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଅଞ୍ଚଳରେ ୬ଜଣ ଶ୍ରମିକ କାମ କରୁଥିଲେ । ତେବେ ଅନ୍ୟ ୩ଜଣ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ କିପରି ଓ କେଉଁ ପରିସ୍ଥିତିରେ ଏକାସଙ୍ଗେ ୩ ଶ୍ରମିକଙ୍କ ମୃତ୍ୟୁ ହେଲା ତାହାକୁ ନେଇ ବଢ଼ିଛି ସସପେନ୍ସ।
ଗତକାଲି ସନ୍ଧ୍ୟାରେ କାରଖାନାରେ ଦୁର୍ଘଟଣା ଘଟିଥିଲା। ବିଳମ୍ବିତ ରାତିରେ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତରଙ୍କୁ କଟକ ମେଡିକାଲ ନାଁରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀମେଟାଲିକ କାରଖାନାରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଏହାକୁ ଏଡାଇବା ପାଇଁ ହିନ୍ଦୋଳ ଥାନା ଅଧିକାରୀ ଅନୁଗୁଳ ନିଶା ଥାନା ଅଧିକାରୀଙ୍କୁ ଖବର ଦେଲା ପରେ ଖବର ସାମ୍ନାକୁ ଆସିଛି।