ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମାର ବାଦଶାହ ତଥା ନବଗଠିତ ‘ତାମିଝାଗା ଭେଟ୍ରି କାଝାଗମ୍’ (TVK) ଦଳର ସୁପ୍ରିମୋ ଥାଲାପତି ବିଜୟ ଏବେ ରାଜନୀତିର ପଡ଼ିଆରେ ନିଜର ଦବଦବା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ ଲାଗି ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ଏହା ସହିତ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ନିଜର ସତ୍ୟପାଠ ମାଧ୍ୟମରେ ସେ ନିଜ ବିପୁଳ ସମ୍ପତ୍ତିର ଯେଉଁ ଖୁଲାସା କରିଛନ୍ତି, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ରିପୋର୍ଟ ଅନୁଯାୟୀ, କେବଳ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୨୦ କୋଟି ଟଙ୍କାରୁ ଅଧିକ ଜମା ରାଶି ରହିଛି।
ସତ୍ୟପାଠରୁ ମିଳିଥିବା ସୂଚନା ମୁତାବକ, ଥାଲାପତି ବିଜୟଙ୍କର ବିଭିନ୍ନ ବ୍ୟାଙ୍କରେ ବିପୁଳ ପରିମାଣର ଅର୍ଥ ସଞ୍ଚିତ ହୋଇ ରହିଛି। ସେଭିଙ୍ଗ୍ସ ଆକାଉଣ୍ଟ ଏବଂ ଫିକ୍ସଡ୍ ଡିପୋଜିଟକୁ ମିଶାଇଲେ ତାଙ୍କର ମୋଟ ବ୍ୟାଙ୍କ ବାଲାନ୍ସ ୩୨୦ କୋଟି ଟଙ୍କା ପାର୍ କରିଯାଉଛି। ସିନେମା ଜଗତରେ ମୋଟା ଅଙ୍କର ପାରିଶ୍ରମିକ ଏବଂ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ସେ ଏହି ଅର୍ଥ ଉପାର୍ଜନ କରିଛନ୍ତି। ମୋଟାମୋଟି ଭାବେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୦୩ ରୁ ୬୨୫ କୋଟି ଟଙ୍କା ମଧ୍ୟରେ ଆକଳନ କରାଯାଇଛି।
ମୋଟ ସମ୍ପତ୍ତି ମଧ୍ୟରୁ ପ୍ରାୟ ୪୦୪.୫୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ତାଙ୍କ ନାମରେ ରହିଛି। ଏହା ସହିତ ୨୨୦.୧୫ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ମଧ୍ୟ ରହିଛି, ଯେଉଁଥିରେ ଚେନ୍ନାଇରେ ଥିବା ବିଳାସପୂର୍ଣ୍ଣ ବାସଭବନ ଏବଂ କୋଡାଇକାନାଲରେ ଥିବା ଚାଷ ଜମି ରହିଛି । କେବଳ ସେତିକି ନୁହେଁ, ତାଙ୍କ ପତ୍ନୀ ସଙ୍ଗୀତାଙ୍କ ନାମରେ ମଧ୍ୟ ପ୍ରାୟ ୧୫.୫୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଥିବା ସେ ସତ୍ୟପାଠରେ ଘୋଷଣା କରିଛନ୍ତି।
ବିଜୟଙ୍କ ଗ୍ୟାରେଜ୍ କୌଣସି ରାଜପ୍ରାସାଦଠାରୁ କମ୍ ନୁହେଁ। ତାଙ୍କ ନିକଟରେ ବିଏମଡବ୍ଲୁ, ଟୟୋଟା ଲେକ୍ସସ୍ ଏବଂ ଭେଲଫାୟାର ଭଳି ୫ଟି ଅତ୍ୟାଧୁନିକ ତଥା ଦାମୀ କାର୍ ରହିଛି। ସୁନା ଗହଣା କଥା ବିଚାରକୁ ନେଲେ ତାଙ୍କ ପାଖରେ ୮୮୩ ଗ୍ରାମର ସୁନା ଅଳଙ୍କାର ଥିବା ବେଳେ ପତ୍ନୀଙ୍କ ନାମରେ ୩.୧ କେଜିରୁ ଅଧିକ ସୁନା ଓ ୧୩୪.୯୧ କ୍ୟାରେଟର ହୀରା ଗହଣା ରହିଛି।
ଏହି ସତ୍ୟପାଠରେ ସବୁଠୁ ବଡ଼ କଥା ହେଉଛି ଲୋନ୍। ବିଜୟ କେବଳ ବାହାର ଲୋକ ବା ଟ୍ରଷ୍ଟକୁ ନୁହେଁ, ବରଂ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ କୋଟି କୋଟି ଟଙ୍କା ଋଣ ଦେଇଛନ୍ତି। ସେ ନିଜ ପିତା ଏସ୍.ଏ. ଚନ୍ଦ୍ରଶେଖରଙ୍କୁ ୩.୦୨ କୋଟି ଏବଂ ମାଆ ଶୋଭାଙ୍କୁ ୮୭.୧୨ ଲକ୍ଷ ଟଙ୍କା ଋଣ ସୂତ୍ରରେ ଦେଇଛନ୍ତି। ସେହିପରି ନିଜ ପତ୍ନୀଙ୍କୁ ୧୨.୬ କୋଟି ଏବଂ ନିଜ ପୁଅ ଓ ଝିଅଙ୍କୁ ମଧ୍ୟ ଲକ୍ଷାଧିକ ଟଙ୍କାର ଋଣ ଦେଇଥିବା ଉଲ୍ଲେଖ ରହିଛି।
ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ତାଙ୍କର ଆୟକର ରିଟର୍ଣ୍ଣରେ ବାର୍ଷିକ ଆୟ ୧୮୪.୫୩ କୋଟି ଟଙ୍କା ଦର୍ଶାଯାଇଛି। ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ଯେ ଏତେ ବଡ଼ ସମ୍ପତ୍ତିର ମାଲିକ ହୋଇଥିଲେ ସୁଦ୍ଧା ତାଙ୍କ ଉପରେ କୌଣସି ବ୍ୟାଙ୍କର ବଡ଼ ଧରଣର ବକେୟା ଋଣ ବା ଲାୟବିଲିଟି ନାହିଁ। କିନ୍ତୁ ଆୟକର ବିଭାଗ ସହ ଜଡ଼ିତ ଦୁଇଟି ପୁରୁଣା ମାମଲା ଏବେ ବି ବିଚାରାଧୀନ ଅବସ୍ଥାରେ ରହିଛି।