ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପେସ ବୋଲର ଭୁବନେଶ୍ୱର କୁମାର ଇତିହାସ ରଚିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେ ପ୍ରଥମ ପେସ ବୋଲର ଭାବେ ଏହି ଟୁର୍ଣ୍ଣାମେଂଟରେ ୨୦୦ ମ୍ୟାଚ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ମୋ ପାଇଁ ଏକ ଖୁସୀର କ୍ଷଣ ବୋଲି ସେ କହିଛନ୍ତି । କ୍ରିକେଟ ଖେଳିବା ମୋର ସବୁଠାରୁ ବଡ ସ୍ୱପ୍ନ ଥିଲା । ଆଜି ପର୍ଯ୍ୟନ୍ତ ଏହି ଭୋକ ମୋ ନିକଟରେ ରହିଛି ବୋଲି ଭୁବି କହିଛନ୍ତି ।
ଭଲ ବୋଲିଂ ପ୍ରଦର୍ଶନ କରିବା ପାଇଁ ମୁଁ ଏବେ ବି କଠିନ ପରିଶ୍ରମ କରୁଛି ବୋଲି ସେ କହିଛନ୍ତି । ଗତ ସଂସ୍କରଣର ଚାମ୍ପିୟନ ଆରସିବି ୯ ମ୍ୟାଚ ଖେଳି ୧୨ ପଂଏଟ ହାସଲ କରିଛି । ହାତରେ ଆଉ ୫ଟି ମ୍ୟାଚ ଥିବାରୁ ଦଳର ପ୍ଲେ ଅଫ ପ୍ରବେଶ ସମ୍ଭାବନା ମଜଭୁତ ରହିଛି । ଅପରପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଏକପ୍ରକାର ଏହି ଦୌଡରୁ ବାଦ ପଡିସାରିଛି । ସୂଚନାଯୋଗ୍ୟ, ଆନ୍ତର୍ଜାତୀୟ କ୍ରିକେଟରେ ଭୁବନେଶ୍ୱର ସୁଇଂ ବୋଲର ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।