କଳାହାଣ୍ଡି:ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା । ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ଗତ ୨ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଖାଦ୍ୟ ନିରୀକ୍ଷକ ଗାଁରେ ନମୁନା ସଂଗ୍ରହ କରିଥିଲେ। ତେବେ ସଂଗ୍ରହ ହୋଇଥିବା ପ୍ରାୟ ୧୭ ଟି ନମୁନା ମଧ୍ୟରୁ ୯ ଜଣ ଜଣ୍ଡିସ ରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ରହିଛି ।
ଅଧିକାଂଶ ଝିଅ ଜଣ୍ଡିସରେ ଆକ୍ରାନ୍ତ ହେଇଥିବା ବେଳେ ସେମାନଙ୍କ ବୟସ ୧୫ ରୁ କମ୍ ବୋଲି ଜଣାପଡିଛି। ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଯଥେଷ୍ଟ ପରିମାଣରେ ହେଲୋଜେନ ବଟିକା ଦିଆଯାଇଛି।
ଏଥିସହ ଖାଦ୍ୟ ନିରୀକ୍ଷକଙ୍କ ଦ୍ଵାରା ଗାଁରେ ମିଳୁଥିବା ଗୁପଚୁପ୍ ଆଦି ର ନମୁନା ସଂଗ୍ରହ ହୋଇଛି।
ତେବେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଦେଖିବାକୁ ମିଳିଛି। ବିଭାଗର କର୍ମଚାରୀ ସେଠାରେ ଶିବିର କରି ରହିବା ପରିବର୍ତ୍ତେ ଘେରାଏ ବୁଲି ଫେରି ଆସୁଛନ୍ତି। ଫଳରେ ଜଣ୍ଡିସ ଭଳି ଜଳ ବାହିତ ରୋଗ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରାଯାଇପାରୁନାହିଁ। ଦୂଷିତ ପାନୀୟ ଜଳ ରୋଗ ବ୍ୟାପିବାର ଅନ୍ୟତମ କାରଣ ବୋଲି କୁହାଯାଉଛି।