ବାଲିଅନ୍ତା ହତ୍ୟାକାଣ୍ଡ: ରାସ୍ତାରୋକ କଲେ ସୌମ୍ୟରଞ୍ଜନଙ୍କ ପରିବାର, ଜିମ୍ ଟଙ୍କାକୁ ନେଇ ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ
ବାଲିଅନ୍ତା/ଭୁବନେଶ୍ୱର: ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ମୃତ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଥିବା ସେମାନେ ଅଭିଯୋଗ କରିଛନ୍ତି।
ମୃତ ସୌମ୍ୟରଞ୍ଜନଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ଏହି ଘଟଣା କୌଣସି ଆକସ୍ମିକ ମାଡ଼ପିଟ୍ ନୁହେଁ, ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ସେମାନେ ଅଭିଯୋଗ କରିଛନ୍ତି ଯେ, ଏକ ଜିମ୍ର ଟଙ୍କା କାରବାରକୁ ନେଇ କିଛି ସ୍ଥାନୀୟ ଲୋକଙ୍କ ସହ ପୂର୍ବରୁ ବିବାଦ ରହିଥିଲା। ସେହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୌମ୍ୟଙ୍କୁ ଟ୍ରାପ୍ କରାଯାଇ ନିର୍ମମ ଭାବେ ହତ୍ୟା କରାଯାଇଛି।
ନ୍ୟାୟ ଦାବିରେ ପରିବାର ଲୋକେ ଶବ ରଖି ରାସ୍ତାରୋକ କରିଥିଲେ, ଯାହାଫଳରେ ବାଲିଅନ୍ତା-ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ହତ୍ୟା ପଛରେ ଥିବା ପ୍ରକୃତ କାରଣର ପର୍ଦ୍ଦାଫାଶ କରିବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଘଟଣାରେ ସମ୍ପୃକ୍ତ ଦୁଇ ମହିଳା ଅଭିଯୋଗ କରିଥିଲେ ଯେ ସୌମ୍ୟ ଏବଂ ତାଙ୍କ ସାଙ୍ଗ ସେମାନଙ୍କୁ ଗାଡ଼ିରେ ଧକ୍କା ଦେବା ସହ ଅସଦାଚରଣ କରିଥିଲେ। ମାତ୍ର ସୌମ୍ୟଙ୍କ ପରିବାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ସେମାନଙ୍କ କହିବା କଥା, ଏହା କେବଳ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଏକ ଷଡ଼ଯନ୍ତ୍ର।
ପୋଲିସ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ପୂର୍ବ ଶତ୍ରୁତା ଏବଂ ଜିମ୍ ଟଙ୍କା ବିବାଦ ଦିଗକୁ ନେଇ ପୋଲିସ ଖୋଳତାଡ଼ କରୁଛି। ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।