ଭୁବନେଶ୍ୱର:ରାଜଧାନୀ ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ପୂରିନଥିବା ବେଳେ ବାଲିପାଟଣାରେ ହତ୍ୟାକାଣ୍ଡ । ବାଲିପାଟଣା ପୁଣି ଜଣେ ଯବକଙ୍କୁ ପିଟି ପିଟି ହତ୍ୟା । ଅଠାନ୍ତର ଛକରେ ରାକେଶଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ମାଡ଼ ମରାଯିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ହତ୍ୟା ଟଙ୍କା କାରବାରକୁ ନେଇ ହୋଇଥିବା ସୂଚନା ମିଳୁଛି ।
ମୃତକ ହେଉଛନ୍ତି ଅଠାନ୍ତର ଗ୍ରାମର ରାକେଶ ଦାସ (୪୩) ।
ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲେ ବେଙ୍ଗବତୀ ଗ୍ରାମର ଜାକିର୍ ସାହ । ଅନ୍ୟପକ୍ଷରେ ମୃତଦେହ ଆସନ୍ତାକାଲି (ଶନିବାର) ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନାମୁତାବକ, ବାଲିପାଟଣା ଥାନା ଅନ୍ତର୍ଗତ ବେଙ୍ଗବତୀ ଗ୍ରାମରେ ଆଜି (ଶୁକ୍ରବାର) ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ଲୁହାରଡରେ ପିଟି ହତ୍ୟା କରିଛନ୍ତି ।
ବାଲିପାଟଣା ଥାନାଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି, ଏହି ଘଟଣାରେ ଏତଲାକ୍ରମେ ଏକ ହତ୍ୟା ମାମଲା ପଞ୍ଜୀକୃତ କରାଯାଇଛି । ଦୁଇ ସାଙ୍ଗଙ୍କ ମଧ୍ୟରେ ଟଙ୍କାକୁ ନେଇ ବଚସା ହେବା ପରେ ଘଟଣା ଘଟିଛି । ମୃତକଙ୍କ ମା’ ପ୍ରଭାସିନୀ ଦାସ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ । ଏହାପରେ ଆମେ ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖିଛୁ । ଏଭଳି ଘଟଣା କାହିଁକି ଘଟିଲା, ତାର ପ୍ରକୃତ କାରଣ ଜାଣିବାକୁ ଅଧିକ ତଦନ୍ତ ଚାଲିଛି ।
ତେବେ ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।